କନ୍ଧମାଳରେ ଆଣ୍ଠେଇଛି ପିଏମ୍‌ଜିଏସ୍‌ଓ୍ଵାଇ:୨୯ରୁ ଗୋଟିଏ ବି ରାସ୍ତା କାମ ସରିନି

ଠିକାଦାରଙ୍କ ଆଳ ମେଟାଲ ମିଳୁନି, ତାଗିଦ କରି ପ୍ରଶାସନ ଚୁପ୍‌

ଫୁଲବାଣୀ,: ସମୀକ୍ଷା ଚାଲିଛି। ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସଚିବ ଓ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ତାଗିଦ୍‌ କରୁଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଆରମ୍ଭ ଓ ଶେଷ କରୁ ନଥିବା ଠିକାଦାରଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଉଛି। ତଥାପି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ନାହିଁ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନାହିଁ। ବର୍ଷବର୍ଷ ଧରି ଖାଲ ଢ଼ିିପ ରାସ୍ତାରେ ଜନସାଧାରଣ ଯାତାୟତ କରୁଥିବା ବେଳେ ଏହାକୁ ନେଇ କନ୍ଧମାଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।  ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଗମନାଗମନାର ସୁବିଧା ନିମନ୍ତେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (ପିଏମ୍‌ଜିଲଏସ୍‌ଓ୍ଵାଇ)। ହେଲେ କନ୍ଧମାଳରେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଅଧିକାଂଶ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ। ତା’ପରଠୁ ଟେଣ୍ଡର ହେଉଛି। ଠିକାଦାରମାନେ ଟେଣ୍ଡର ଡାକି କାମ ନେଉଛନ୍ତି।

କାମ ଆରମ୍ଭ କରି ପ୍ରଥମ ବିଲ୍‌ ଉଠାଇ ଆଉ କାମ କରିବା ନାଁ ଗନ୍ଧ ଧରୁନାହାନ୍ତି। ମେଟାଲ ମିଳୁନି ଆଳ ଦେଖାଉଛନ୍ତି ଠିକାଦାର। କାମ ଶେଷ କରିବା ଲକ୍ଷ୍ୟରେ ତାଗିଦ ଓ କାର୍ଯ୍ୟାନୁଷ୍ଠାନ ଧମକ ଦେଉଛି ପ୍ରଶାସନ। କିନ୍ତୁ କିଛି ଫରକ ପଡୁନି। ବିଭାଗ, ଠିକାଦାର ଓ ପ୍ରଶାସନ ମଧ୍ୟରେ ଏମିତି ଚାଲିଥିବା ବେଳେ ଅଧପନ୍ତରିଆ ହୋଇ ପଡିଥିବା ରାସ୍ତା କାମ କେବେ ଆରମ୍ଭ ହେବ ଆଉ କେବେ ଶେଷ ହେବ ତାହା କେବଳ ଭଗବାନଙ୍କ ଜଣା।  ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ପିଡବ୍ଲୁଡି ରୋଡଠାରୁ ସୁଜେଲ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ହୋଇଛି। ୭ କିଲୋମିଟର ରାସ୍ତା ପାଇଁ ବ୍ୟୟବରାଦ ୨ କୋଟି ୮୯ ଲକ୍ଷ ୫୧ହଜାର। ୨୦୧୬ ଡିସେମ୍ବର ୧୬ ତାରିଖରେ କାମ ଆରମ୍ଭ ହେବ। ୨୦୧୭ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା କାମ ଶେଷ ହେବ। ଏଭଳି ଲେଖା ନାମ ଫଳକରେ ଉଲ୍ଲେଖ ରହିଛି। ହେଲେ ଏହି ସମୟ ମଧ୍ୟରେ କାମ ଶେଷ ହେବା ଦୂରର କଥା। ପ୍ରଥମ ମେଟାଲ ପକାଇବା କାମ ହୋଇ ପଡିରହିଛି। ଦ୍ୱିତୀୟ ପରସ୍ତ ମେଟାଲ ପକାଇବା କାମ ହେବା ପରେ ପିଚୁ ହେବା କଥା। ହେଲେ ଆରମ୍ଭରୁ କାମ ଅଟକିଛି। ଏହା ଗୋଟିଏ ରାସ୍ତା ନୁହେଁ।

ଏଭଳି ଏହି ସମୟ ମଧ୍ୟରେ ୨୯ଟି ରାସ୍ତା  କାମ ଶେଷ ହେବା କଥା। ସବୁ ରାସ୍ତାର ଅବସ୍ଥା ସେହିଭଳି। ଠିକବାଲି ବ୍ଳକରେ ୩, କୋଟଗଡରେ ୧, ଖଜୁରିପଡାରେ ୨, ଫିରିଙ୍ଗିଆରେ ୫, ଦାରିଙ୍ଗବାଡିରେ ୮, ତୁମୁଡିବନ୍ଧରେ ୨ ଓ କେ.ନୂଅଗାଁ ବ୍ଳକରେ ୨ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କାମ ଆରମ୍ଭରୁ ଅଟକିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ୨୯ଟି ରାସ୍ତାରୁ ଗୋଟିଏ ବି ରାସ୍ତାର କାମ ଶେଷ ହୋଇ ନାହିଁ। ନିକଟ ଭବିଷ୍ୟତରେ ଶେଷ ହେବାର ବି ନାହିଁ। କାରଣ ମେଟାଲ ମିଳୁନି ବୋଲି ଠିକାଦାରମାନେ କହୁଛନ୍ତି। ଲୋକାଲ ମେଟାଲ ଅଭାବ ରହୁଛି। କ୍ରସର ମେଟାଲ ବାହାରୁ ଆଣିଲେ ଅଧିକ ଖର୍ଚ୍ଚ ପଡୁଛି।

ଅଧିକ ଖର୍ଚ୍ଚ ବହନ କିଭଳି ହେବ ସେ ନେଇ ବିଭାଗୀୟ କର୍ତ୍ତୃପକ୍ଷ କିଛି କହୁ ନାହାନ୍ତି କି ସହଯୋଗ କରୁ ନାହାନ୍ତି। ଯାହା ଫଳରେ ରାସ୍ତା କାମ ଆଗେଇ ପାରୁ ନାହିଁ ବୋଲି କହନ୍ତି କେତେ ଜଣ ଠିକାଦାର। ଟେଣ୍ଡର ନେଇ କାମ ଆରମ୍ଭ କିମ୍ବା ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରି ନଥିବା ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି। ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କାମ କିଭଳି ତ୍ୱରାନ୍ଵିତ ହେବ ସେଥି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଡା.ବୃନ୍ଦା ଡି କହିଛନ୍ତି।

ସମ୍ବନ୍ଧିତ ଖବର