ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କନ୍ଧମାଳ ପୁଲିସର ପ୍ରସ୍ତୁତି:୨୮ରୁ ଜିଲ୍ଲା ବୁଲିବ ‘ଦର୍ପ ଦଳନ’ ସଚେତନତା ରଥ

ସାମିଲ ହେବେ ଜନପ୍ରତିନିଧି ଓ ସାମାଜିକ କର୍ମୀ

ଫୁଲବାଣୀ: ବଢ଼ି ଚାଲିଛି ନାବାଳିକା ଦୁଷ୍କର୍ମ । ଏଥି ପାଇଁ ସରକାରଙ୍କ ଚିନ୍ତା ବଢ଼ିଛି। ଏଣୁ, ନାବାଳିକା ଦୁଷ୍କର୍ମ ରୋକିବା ନିମନ୍ତେ ଆସନ୍ତା ୨୮ ତାରିଖରୁ ରାଜ୍ୟ ପୁଲିସ ପକ୍ଷରୁ ଜନ ଜାଗରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଅନ୍ୟ ଜିଲ୍ଲା ଭଳି କନ୍ଧମାଳରେ ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଥିବାରୁ ଏହା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ କନ୍ଧମାଳ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୨୮ ତାରିଖରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପୀ ବୁଲିବ ସଚେତନତା ରଥ ‘ଦର୍ପ ଦଳନ’। ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏସପି ପ୍ରତୀକ ସିଂ ଏଥିରେ ଅଧ୍ୟକ୍ଷତା କରି କନ୍ଧମାଳରେ ନାବାଳିକା ଦୁଷ୍କର୍ମ ରୋକିବା ଓ ଛୋଟ ପିଲାଙ୍କ ପ୍ରତି ହେଉଥିବା ନିର୍ଯାତନା ବନ୍ଦ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। କେବଳ ପ୍ରଶାସନ କିମ୍ବା ପୁଲିସ ଚାହିଁଲେ ଏହା ରୋକିବା ସମ୍ଭବ ନୁହେଁ। ଜନସାଧାରଣ ଏ ଦିଗରେ ମଧ୍ୟ ବେଶ ସଚେତନ ହେବା ସହ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ଜରୁରୀ ବୋଲି କହିଥିଲେ।
୨୮ ତାରିଖରେ ଫୁଲବାଣୀ ଗାନ୍ଧୀସ୍ମୃତି ଭବନରୁ ସଚେତନତା ରଥ ‘ଦର୍ପ ଦଳନ’ର ଶୁଭାରମ୍ଭ ହେବ। ଏହି ରଥ ବିଭିନ୍ନ ସ୍ଥାନ ବୁଲିବ। ବିଭିନ୍ନ ସାପ୍ତାହିକ ହାଟରେ ୨ ଘଣ୍ଟା ଧରି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ସରକାରୀ ଅଧିକାରୀ, ପୁଲିସ, ଜନପ୍ରତିନିଧି ଓ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ବୋଲି ଏସପି କହିଥିଲେ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ ୨୮ ତାରିଖରେ ରାଇକିଆ ସାପ୍ତାହିକ ହାଟରେ ପହଞ୍ଚିବ ରଥ। ସେଠାରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତାପରେ ସଂଧ୍ୟାରେ ଜି.ଉଦୟଗିରିରେ ପହଞ୍ଚିବ ରଥ। ୨୯ ତାରିଖ ସକାଳେ ସାରଙ୍ଗଗଡ଼ ଓ ପାବୁରିଆ ଏବଂ ଅପରାହ୍ନରେ ଫିରିଙ୍ଗିଆ ସାପ୍ତାହିକ ହାଟରେ ପହଞ୍ଚିବ ରଥ। ୩୦ ତାରିଖରେ ଜିଲ୍ଲା ସଦର ମହକୁମା ଫୁଲବାଣୀ ହାଟପଦା ସାପ୍ତାହିକ ହାଟରେ ପହଞ୍ଚିବ ରଥ ‘ଦର୍ପ ଦଳନ’। ୩୧ ତାରିଖରେ ଗୁମାଗଡ଼ ଓ ଶଙ୍କରଖୋଲ ଓ ଜୁନ ୧ରେ ଟିକାବାଲି ସାପ୍ତାହିକ ହାଟରେ ପହଞ୍ଚିବ ଏହି ରଥ। ୨ ତାରିଖରେ କେ.ନୂଆଗାଁ ଓ ବାଲିଗୁଡ଼ା ସାପ୍ତାହିକ ହାଟରେ ସଚେତନତା କରାଯିବା ପରେ ରଥକୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଧନା ଦିଆଯିବ।
ଏହି ସଚେତନତା ରଥର ଭ୍ରମଣ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଜିଲ୍ଲାରୁ ନାବାଳିକା ଦୁଷ୍କର୍ମ ଓ ଛୋଟ ପିଲାଙ୍କ ନିର୍ଯାତନା ସମ୍ପୂର୍ଣ୍ଣ ବନ୍ଦ କରିବାରେ ଏସପି ଶ୍ରୀ ସିଂ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପ୍ରସ୍ତୁତି ବୈଠକରେ ପୁଲିସର ପଦସ୍ଥ ଅଧିକାରୀ, ବିଭିନ୍ନ ଥାନାଧିକାରୀ, ସାମାଜିକ କର୍ମୀ, ଜିଲ୍ଲା ସମାଜ ମଂଗଳ ଅଧିକାରୀ ଏସ,.ଗାୟତ୍ରୀ ଓ ମହିଳା ମିଶନ ଶକ୍ତି ସଂଯୋଜିକା ସଂଧ୍ୟାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର