କନ୍ଧମାଳରେ ବଢୁଛି ନାବାଳିକା ଦୁଷ୍କର୍ମ ଓ ମହିଳା ନିର୍ଯାତନା: ରାଜରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା

ଫୁଲବାଣୀ: କନ୍ଧମାଳରେ ନାବାଳିକା ଦୁଷ୍କର୍ମ ଓ ମହିଳା ନିର୍ଯାତନା ବଢୁଛି। ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା କମିବା ପରିବର୍ତ୍ତେ ଦିନକୁ ଦିନକୁ ବୃଦ୍ଧି ପା‌ଉଛି। ମହିଳା ନିର୍ଯାତନାଠାରୁ ନାବାଳିକା ଦୁଷ୍କର୍ମ ଓ ଗର୍ଭବତୀ ହେବା ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ବି ଏହା ରୋକିବାକୁ ପ୍ରଶାସନ ଉଦ୍ୟମ କରୁ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଶାସକ ଦଳର ଚାପରେ ଅଭିଯୁକ୍ତଙ୍କୁ ଛାଡି ଦିଆଯାଉଛି। ଦାରିଙ୍ଗବାଡି ସରକାରୀ ହାଇସ୍କୁଲ ଛାତ୍ରୀ ପ୍ରସବଠାରୁ ଆରମ୍ଭ କରି କନ୍ଧମାଳରେ ବାରମ୍ବାର ଘଟୁଥିବା ଏଭଳି ଲଜ୍ୟା ଘଟଣା ବନ୍ଦ ନ ହେଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଶ୍ରୀ ପ୍ରଧାନ ଏଭଳି କହିଥିବା ବେଳେ ସାଧାରଣ ସମ୍ପାଦିକା ସ୍ମିତାରାଣୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଫୁଲବାଣୀ ନଗର ସଭାନେତ୍ରୀ ରାଜକୁମାରୀ ନାୟକ ଏବଂ ଦଳୀୟ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର