କନ୍ଧମାଳ ଗସ୍ତର ଦ୍ୱିତୀୟ ଦିନରେ କ୍ଷେତ୍ର ବୁଲିଲେ ରାଜସ୍ୱ ସଚିବ :ସ୍କୁଲକୁ ଯାଇ ପିଲାଙ୍କୁ ପାଠ ପଢାଇଲେ

ଶିକ୍ଷକଙ୍କୁ ପ୍ରଶ୍ନ ପଚାରିଲେ

ଫୁଲବାଣୀ: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ଚନ୍ଦଶେଖର କୁମାର କନ୍ଧମାଳ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବ୍ଲକକୁ ଯାଇ କ୍ଷେତ୍ର ବୁଲିବା ଓ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସରକାରଙ୍କ ଯୋଜନା କିଭଳି ତୃଣମୁଳସ୍ତରରେ ଚାଲିଛି ସେନେଇ ଅନୁଧ୍ୟାନ କରିଥିଲେ। ଲୋକଙ୍କୁ ଘରକୁ ଯାଇ ପଚାରି ବୁଝିଥିଲେ। ଗତ ଜାନୁଆରୀରେ କନ୍ଧମାଳ ଗସ୍ତରେ ଆସିଥିବା ଚନ୍ଦ୍ରଶେଖର କୁମାର ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଫୋକସ କରିଥିଲେ। ଏଥର ବି ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସେ ପ୍ରାଧାନ୍ୟ ଦେଇ ବିଭିନ୍ନ ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସ୍କୁଲକୁ ଯାଇ ପିଲାଙ୍କ ସହ ମିଶିଥିଲେ। ପାଠପଢା, ଖାଇବା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ସେମିତି ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା କିଭଳି ହେଉଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ଦାରିଙ୍ଗବାଡି ଓ କେ,ନୂଆଗାଁ ବ୍ଲକର କେତେକ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ।

ଛୋଟ ପିଲାଙ୍କ ମିଶି କଣ ଖାଇବାକୁ ଦିଆଯାଉଛି ବୋଲି ପଚାରିଥିଲେ। କେ.ନୂଆଗାଁବ୍ଲକ କାର୍ଯ୍ୟାଳୟକୁ ଯାଇ ସରକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଉଦ୍ୟାନ ବିଭାଗ ପକ୍ଷରୁ ହୋଇଥିବା ଆମ୍ବ ବଗିଚା ସେ ବୁଲି ଦେଖିଥିଲେ। ଆମ୍ବ ଚାଷୀଙ୍କ ସହ କଥା ହୋଇଥିଲେ। ଏହା ବାଦ୍‌ କେତେକ ବ୍ଲକରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସେ ବୁଲି ଦେଖିଥିଲେ।
ଗସ୍ତ ସମୟରେ ବାଟରେ କେତେକ ସ୍କୁଲକୁ ଯାଇ ପାଠ ପଢାଇଥିଲେ। ପିଲା ଓ ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେତେକ ସ୍କୁଲ ସନ୍ତୋଷ ଜନକ ଉତ୍ତର ମିଳିଥିବା ବେଳେ ଆଉ କେତେକ ସ୍କୁଲରେ ଶିକ୍ଷକ ସଠିକ୍‌ ଉତ୍ତର ଦେଇ ପାରି ନଥିଲେ। ଏହାକୁ ନେଇ ସଚିବ ଅସନ୍ତୋଷ ପ୍ରକାଶ କରିବା ସହ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେଇ ପ୍ରସ୍ତୁତ ହେବାକୁ ସେ ତାଗିଦ କରିଥିଲେ। ସଚିବଙ୍କ ଆଜି ବିଭିନ୍ନ ବ୍ଲକ ଗସ୍ତ ସମୟରେ ଜିଲ୍ଲାପାଳ ଡା.ବୃନ୍ଦା ଡି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶରତଚନ୍ଦ୍ର ପଣ୍ଡା, ଆଇଏଏସ ପ୍ରୋବେସନର ଡା.ସିଦ୍ଧେଶ୍ୱର ବଳିରାମ ବଣ୍ଡାର, ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଧର୍ମେନ୍ଦ୍ର ମଲ୍ଲିକ, ଉଦ୍ୟାନ ଉପନିର୍ଦ୍ଦେଶକ ମନୋଜ କୁମାର ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ଲାଇନ ବିଭାଗ ଯନ୍ତ୍ରୀ ସାମିଲ ଥିଲେ। ଆସନ୍ତାକାଲି ପୁଣି ସଚିବ ବିଭିନ୍ନ ବିଭାଗର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର