ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରୁ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ଲୁଟେରା ଝାମ୍ପି ନେଲେ ଦେଢ଼ ଲକ୍ଷ ଟଙ୍କା, ଫୁଲବାଣୀ ଟାଉନ୍‌ ପୁଲିସ୍‌ର ତନାଘନା

ଫୁଲବାଣୀ: ଫୁଲବାଣୀ ସହରର ଖୋଦ୍‌ ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରୁ ଦିନ ଦ୍ୱିପ୍ରହରରେ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ୩ ଜଣ ଲୁଟେରା ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ବୃଦ୍ଧ ଦମ୍ପତ୍ତି ଫୁଲବାଣୀ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ଚଳାଇଥିଲେ ବି ଲୁଟେରାଙ୍କ ପତ୍ତା ମିଳି ପାରିନାହିଁ। ଅଭିଯୋଗ ଅନୁଯାୟୀ କେନ୍ଦୁପଦର ନିବାସୀ ଦୁଯ୍ୟୋଧନ ନାୟକ (୬୫) ଓ ତାଙ୍କ ସ୍ତ୍ରୀ ବାସନ୍ତୀ ନାୟକ ଆଜି ଫୁଲବାଣୀସ୍ଥିତ ଷ୍ଟେଟ ବ୍ୟାଙ୍କରୁ ପୁଅ ବାହାଘର ପାଇଁ ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏକ ବ୍ୟାଗ୍‌ରେ ଟଙ୍କା ରଖି ଦୁହେଁ ଚାଲି ଚାଲି ଘରକୁ ଫେରୁଥିଲେ।

ଅପରାହ୍ଣ ପ୍ରାୟ ୨ଟାରେ ୩ ଜଣ ଯୁବକ ବାଇକ୍‌ରେ ଆସି ସେହି ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇ ପଳାଇଥିଲେ। ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର