ଦୁଇ ଅଭିଯୁକ୍ତଙ୍କୁ ୧୫ ବର୍ଷ ଲେଖାଏଁ ଜେଲ, ୧ ଲକ୍ଷ ଜୋରିମାନା

ଗଞ୍ଜେଇ ଚୋରାଚାଲାଣ ମାମଲା

ଫୁଲବାଣୀ : ଗତ ୨୦୧୧ ମସିହାରେ ଚୋରା ଗଂଜେଇ ଚାଲାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି ଫୁଲବାଣୀ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ଜଜ ଜନାବ ମହମ୍ମଦ ଅଜମଲ ୧୫ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅର୍ଥ ଅନାଦେୟ ହେଲେ ପ୍ରତ୍ୟେକଙ୍କୁ ଆଉ ଏକ ବର୍ଷ ଲେଖାଏଁ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଫତାଜ ଅଲି ଓ ଫୁଲବାଣୀର ସାହଲ ଖାନ।

ମିଳିଥିବା ସୂଚନା ଅନୁସାରେ ୨୦୧୧ ମସିହା ଜାନୁଆରୀ ୨୫ ତାରିଖରେ ଏହି ଦୁଇ ଅଭିଯୁକ୍ତ ଏକ ମୋଟର ସାଇକେଲରେ ଫିରିଙ୍ଗିଆରୁ ଆସୁଥିବା ସମୟରେ ଆମ୍ବପଡ଼ା ଛକଠାରେ ପୁଲିସ ତନଖି ଚାଲିଥିଲା। ଯାଞ୍ଚ ବେଳେ ସେମାନଙ୍କଠାରୁ ୨୩ କିଲୋ ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନଙ୍କ ନାମରେ ଫୁଲବାଣୀ ସଦର ଥାନାରେ କେସ ନଂ ୪/୧୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ମାନ୍ୟବର ଅଦାଲତ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୌମେନ୍ଦ୍ର ସାହୁ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର