ଗ୍ରାମବାସୀ ତାତିଲେ, ଘର ଭିତରେ ପୁଲିସ ଟିମ୍‌କୁ ବାନ୍ଧିଦେଲେ

ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ମୁକୁଳିଲେ ପୁଲିସ ଦଳ

କନ୍ଧମାଳ: ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଇ ରଖୁଥିବା ପୁଲିସ ଟିମ୍‌କୁ ଗୁରୁବାର ପାନେ ମିଳିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ କେରେଡି ପଞ୍ଚାୟତର ଡାଇଲୁଙ୍ଗ ଗାଁର ଉତ୍ତେଜିତ ଲୋକମାନେ ପୁଲିସ ଟିମ୍‌କୁ ଏକ ଘର ଭିତରେ ବାନ୍ଧି ମାଡ ମାରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଡାଇଲୁଙ୍ଗ ଗ୍ରାମର ସୋମନାଥ ବେହେରା(୨୧)ଙ୍କୁ ତା’ର ସାଙ୍ଗ କାହ୍ନଚରଣ ବାରିକ ଗତ ଜୁନ ୩ ତାରିଖରେ ଡାକି ନେଇଥିଲା। ସେହି ଦିନ ଠାରୁ ସୋମନାଥ ଘରକୁ ଆଉ ଫେରି ନଥିଲା। ୨ ଦିନ ପରେ ଅର୍ଥାତ ଜୁନ ୫ରେ ଗାଁ ଲୋକେ ସୋମନାଥର ମୃତଦେହ ପାଇଥିଲେ। ଏହି ଘଟଣାରେ ଗାଁ ଲୋକେ ଅଭିଯୋଗ ଆଣିଥିଲେ ଯେ, ସୋମନାଥକୁ କାହ୍ନଚରଣ ହତ୍ୟା କରିଛି। ଅପରପକ୍ଷେ ପୁଲିସ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ କରିଥିଲା।

ଗାଁ ଲୋକେ ହତ୍ୟାକାଣ୍ଡ ଅଭିଯୋଗ ଆଣି କାହ୍ନଚରଣକୁ ଗିରଫ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଗତ ଜୁନ ୧୮ରେ ଦାବି କରିଥିଲେ। ମାତ୍ର କାହ୍ନଚରଣକୁ ପୁଲିସ ଗିରଫ କରି ନଥିଲା। ଫଳରେ ଉତ୍ତେଜିତ ଗାଁ ଲୋକେ ବୈଠକରେ ନିଷ୍ପତ୍ତି ନେଇ କାହ୍ନଚରଣ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ। ତାଙ୍କ ପରିବାରକୁ ନିଅାଁ ଓ ପାଣି ବନ୍ଦ କରିବା ସହିତ ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ମନା କରିଦେଇଥିଲେ।

ଗାଁ ଲୋକଙ୍କ ଦ୍ୱାରା ବାସନ୍ଦ ହେବା ପରେ କାହ୍ନଚରଣ ପୁଲିସ ଥାନାରେ ଅଭିଯୋଗ କରିଥିଲା। ଏହା ପରେ ପୁଲିସ ଟିମ୍‌ ଆଜି ସକାଳୁ ଡାଇଲୁଙ୍ଗ ଗାଁ ଲୋକଙ୍କ ଗିରଫ କରିବା ପାଇଁ ଆସିଥିଲା। ମାତ୍ର ଉତ୍ତେଜିତ ଗାଁ ଲୋକେ ପୁଲିସ ଟିମକୁ ବାନ୍ଧି ଦେଇ ଗୋଟିଏ ଘର ଭିତରେ ଅଟକ ରଖିଥିଲେ। କନ୍ଧମାଳ ବିଧାୟକ ଜୁବୁନୀ କହଁରଙ୍କ ହସ୍ତକ୍ଷେପ ପରେ ପୁଲିସ ଟିମ୍‌ ମୁକୁଳିଛନ୍ତି।

ସମ୍ବନ୍ଧିତ ଖବର