କନ୍ଧମାଳ: ମହିଳାଙ୍କ କଥା ନଶୁଣି ଚାଲିଗଲେ ତୁମୁଡିବନ୍ଧ ବିଡିଓ, ବିଧବା ସୁଶୀଳାଙ୍କ ଦୁଃଖ ବୁଝିବ କିଏ?

ତୁମୁଡ଼ିବନ୍ଧ: ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି। ସବୁ ଯୋଜନାରୁ ପ୍ରକୃତ ହିତାଧିକାରୀ ଯେପରି ବଞ୍ଚିତ ନହୁଅନ୍ତି ସେଥି ପାଇଁ ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି। ଏସବୁ ସତ୍ତ୍ୱେ ବି ପ୍ରତେକ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ କରି ସମସ୍ତ ବିଭାଗର ଅଧିକାରୀମାନେ ପଞ୍ଚାୟତରେ ପହଂଚି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ବିଡ଼ିଓ ଏହି କାଯ୍ୟକ୍ରମର ମୁଖ୍ୟ ରହିବେ କିନ୍ତୁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବିଡିଓଙ୍କ ନିକଟରେ ଏସବୁ ବ୍ୟତିକ୍ରମ ଦେଖାଯାଇଛି। ସାଧାରଣ ଲୋକଙ୍କୁ ଭେଟିବାରେ ତାଙ୍କ ପାଖରେ ସମୟ ଅଭାବ ରହିଛି। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି।

ତୁମୁଡ଼ିବନ୍ଧ ବଜାରରେ ରହୁଥିବା ସୁଶୀଳା (୬୫) ନାମ୍ନୀ ଜଣେ ବିଧବା ମହିଳା ଆଜି ଦିନ ୧୨ଟା ବେଳେ ବିଡ଼ିଓଙ୍କୁ ଭେଟି ଏକ ଆବାସ ଗୃହ ଯୋଗାଇ ଦେବା ପାଇଁ ଗୁହାରି କାରିବାକୁ ଆସିଥିଲା ସେହି ସମୟରେ ବିଡ଼ିଓ ଙ୍କ ପ୍ରକୋଷ୍ଟ ନିକଟରେ ପିଅନ ଜଣେ ପଚାରି ଥିଲେ, ମା’ କୁଆଡେ ଆସିଛ? ବିଧବା ମହିଳା ଜଣକ କହିଥିଲେ ଯେ, ପୁଅ ପୁରୁଣା ବିଡ଼ିଓ ଘର ଦେବେ ବୋଲି କହିଥିଲେ। ସେ ଚାଲି ଗଲେଣି, ନୂଆ ବିଡ଼ିଓଙ୍କୁ ଦେଖା କରିବି। ମୋତେ କାନକୁ ଶୁଣାଯାଉନି। ଆଖି ବି ଭଲ ଭାବରେ ଦେଖା ଯାଉନି ।

ଏହି ସମୟରେ ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧିଙ୍କ ସମେତ ଅନ୍ୟ ଗଣମାଧ୍ୟମର ପ୍ରତିନିଧିମାାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବିଧବା ଜଣକ ସାମ୍ବାଦିକମାନେ ଅଛନ୍ତି ଜାଣିବା ପରେ କାନ୍ଦି ପକାଇଥିଲେ। ପୁଅ କିଛି କରୁନାହିଁ, ତେମେ ଟିକିଏ ବିଡ଼ିଓଙ୍କୁ କହିଦିଅ। ଏତିକି ସମୟରେ ବିଡ଼ିଓ ତାଙ୍କ କୋଠୋରିରୁ ବାହାରି କୁଆଡେ ଚାଲିଗଲେ। ବିଧବାଙ୍କୁ ମନ କଥା ବୁଛିବା ପାଇଁ ବିଡ଼ିଓ ସାରଙ୍କ ପାଖରେ ସମୟ ନଥିଲା। ସାର କାଳିଆ କାର୍ଯ୍ୟକ୍ରମରେ ଯୋଗଦେବାକୁ କୃଷି ଅଧିକାରୀଙ୍କ ସହ ଚାଲି ଯାଇଥିଲେ।

ଏହି ପରିସ୍ଥିତିରେ ଆମେ ବିଡ଼ିଓଙ୍କୁ କହି ଦେବୁ ମା’ ତମେ ଘରକୁ ଚାଲିଯାଅ ବୋଲି ସାମ୍ବାଦିକ ଭାଇମାନେ କହିଥିଲେ। ଦିନ ୩ଟା ପରେ ସାମ୍ବାଦିକମାନେ ବିଡ଼ିଓଙ୍କୁ ଅବଗତ କରାଇବା ପହଂଚିଥିଲେ କିନ୍ତୁ ବିଡ଼ିଓ ଜୟଦେବ ଦାସ ତାଙ୍କର ସମୟ ନାହିଁ ଏବଂ ସେ ଭେଟି ପାରିବେ ନାହିଁ ବୋଲି ପିଅନ ହାତରେ ଖବର ଦେଇଥିଲେ। ତେବେ ନୂତନ ବିଡ଼ିଓ ଶ୍ରୀ ଦାସ ଯୋଗଦେବା ପରେ ସାଧାରଣ ଲୋକ ସେମାନଙ୍କ ଅଭିଯୋଗ ନେଇ ବିଡ଼ିଓଙ୍କ ଦେଖା କରିବା ସମ୍ଭବ ହୋଇ ପାରୁ ନଥିବା କହିଛନ୍ତି କିଛି ଲୋକ। ଅଧିକାରୀ ସାଧାରଣ ଲୋକଙ୍କୁ ଭେଟିବା ପାଇଁ ଏତେ କଟକଣାକୁ ନେଇ ସାଧାରଣ ରେ ଏବେ ପ୍ରଶ୍ନବାଚୀ ଉଠିଛି।

ସମ୍ବନ୍ଧିତ ଖବର