କେନ୍ଦ୍ରାପଡ଼ା: ବ୍ୟବସାୟୀଙ୍କୁ ଗୁଳିମାଡ ମାମଲାରେ ଟିଟୋର ସମ୍ପୃକ୍ତି, ୪ଜଣ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗୁଲନଗର ଛକରେ ବ୍ୟବସାୟୀଙ୍କୁ ଗୁଳିମାଡ ମାମଲାରେ ଟିଟୋର ସମ୍ପୃକ୍ତି ଥିବା ନେଇ ସୋମବାର କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ଟି ମୋବାଇଲ୍‌ ଓ ୨ଟି ବାଇକ ଜବତ କରିଛି। ଅନ୍ୟ ୮ଜଣ ଅଭିଯୁକ୍ତ ଏହି ଘଟଣାରେ ସମ୍ପୃକ୍ତ ଥିବା ବେଳେ ଫେରାର ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗିରଫ ୪ଜଣ ଅଭିଯୁକ୍ତଙ୍କ ନାମ ଅଶୋକ ମଲ୍ଲିକ, ଏସ୍‌କେ ସାକିର, କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଟ୍ଟୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଧର୍ମରକ୍ଷା ସେନାର ଜିଲ୍ଲା ମୁଖ୍ୟ ବିବେକାନନ୍ଦ ମହାରଣା (ବାବୁଲି)ଙ୍କୁ ହତ୍ୟା ପାଇଁ ୫ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ୧ଲକ୍ଷ ଟଙ୍କା ଅଗ୍ରୀମ ସହ ୩ଟି ବନ୍ଧୁକ ଦିଆଯାଇଥିଲା। କିଛିଦିନ ତଳେ କେନ୍ଦ୍ରାପଡ଼ାର ରାମନଗର ପାଟଣାଠାରେ ଥିବା ସୋ’ ରୁମ ବନ୍ଦ କରି ବିବେକାନନ୍ଦ ରାତି ପ୍ରାୟ ୯ଟାରେ ବୁଲେଟ୍‌ରେ ତିନିମୁହାଣିକୁ ଫେରୁଥିବା ବେଳେ ଗୁଲନଗର ହାଇସ୍କୁଲ ସାମ୍ନା ରାସ୍ତାରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା। ବିବେକାନନ୍ଦ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବିବେକାନନ୍ଦଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସିଥିଲା।

ସମ୍ବନ୍ଧିତ ଖବର