୪ ପରିବାରର ୧୦ ବଖରା ଜଳିଗଲା

ଡେରାବିଶ: ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ଅନ୍ତର୍ଗତ ପଲ୍ଲୀ–ରଘୁନାଥପୁର(ପାଟଣା) ଗ୍ରାମରେଭୟାବହ ଅଗ୍ନିକାଣ୍ତ ଘଟି ୪ପରିବାରର ୧୦ବଖରା ଛପର ଘର ଜଳି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ତ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ବେଳେ ଏହି ବିପନ୍ନ ପରିବାର ବେସାହାରା ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଆଜି ଦିନ ୧୦ ଟାରେ ପ୍ରଥମେ ଗ୍ରାମର ରବିନ୍ଦ୍ର କୁମାର ପାତ୍ର(୫୦)ଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଖରତା ଯୋଗୁଁ ଚାହୁଁ ଚାହୁଁ ରବିନ୍ଦ୍ରଙ୍କ ଘରକୁ ଲାଗିଥିବା ନିଆଁ ତାଙ୍କ ସାନଭାଇ ଜିତେନ୍ଦ୍ର(୪୭)ଙ୍କ ଘରକୁ ମଧ୍ୟ ଧରି ପକାଇଥିଲା। ଏପରିକି ପଡୋଶୀ ପଦ୍ମନାଭ ପାତ୍ର(୬୫) ଓ ତ୍ରୀଲୋଚନ ପାତ୍ର(୪୮)ଙ୍କ ଘରକୁ ପୋଡି ଭସ୍ମୀଭୂତ ହୋଇଯାଇଥିଲା। ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରୁ ନିଆଁ ଲିଭା ଗାଡି ଓ କର୍ମଚାରୀ ଅଗ୍ନିକାଣ୍ତସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଲିଭାଇଥିଲେ ମଧ୍ୟ ସେତେବେଳକୁ ଏହି ୪ ଗରିବ ପରିବାରଙ୍କ ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇ ସାରିଥିଲା। ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡିଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ତ ଘଟିଥିବା କୁହାଯାଉଛି।
ଖବର ପାଇ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ନାୟକ ଅଗ୍ନିବିପନ୍ନଙ୍କ ପାଖରେ ପହଂଚି ପରିବାରକୁ ସମବେଦନା ଜଣାଇବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ଜଣାଯାଇଛି। ସେହିପରି ଡେରାବିଶ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଓ ସମାଜସେବୀ ତଥା କେନ୍ଦ୍ରାପଡା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରଧ୍ୟାପକ ଅଜୟ କୁମାର ରାଉତ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର