ବସ୍ ଓଲଟି ୧୭ ଆହତ

ମାର୍ଶାଘାଇ: ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ର ହଳଦିଆ-ମଙ୍ଗରାଜପୁର ରାସ୍ତାର ମିଳିମିଳା ଠାକୁରାଣୀ ପୋଲ ନିକଟରେ ‘ଶ୍ରୀ ଲକ୍ଷ୍ମୀ’ ନାମକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ ଭିତରକୁ ଓଲଟି ପଡିଛି। ଏଥିରେ ଥିବା ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ମିଳିଥିବା ସୂଚନା ମୁତାବକ, ବସ୍‌ଟି ସବୁଦିନ ପରି ଆଜି ଯାତ୍ରୀମାନଙ୍କୁ ନେ଼ଇ କଟକରୁ ମଙ୍ଗରାଜପୁର ଫେରୁଥିଲା। ହଳଦିଆ-ମଙ୍ଗରାଜପୁର ରାସ୍ତାର ମିଳିମିଳା ଠାକୁରାଣୀ ପୋଲ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ଧାନ ବିଲ ଭିତରକୁ ଓଲଟି ପଡିଥିଲା। ସମସ୍ତ ଯାତ୍ରୀ ବସ୍‌ ଭିତରେ ରହି ଯାଇଥିଲେ। ସେହି ରାସ୍ତାରେ ଯାଉଥିବା ବାଟୋଇ, ନିକଟସ୍ଥ ବେରୁହାଁ ଏବ˚ ମଙ୍ଗରାଜପୁର ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ୬ ଜଣଙ୍କ ଅବସ୍ଥା ଗୁରୁତର ଥିିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ା ସେମାନେ ହେଲେ ଧନିଆଁପଡାର ବାସନ୍ତୀ ବେହେରା(୬୦), ଦଶମାଣପୁରର ନିର ମଲ୍ଲିକ(୫୫), କଳାଗଡର ସୁମିତ୍ରା ମଲ୍ଲିକ(୪୫), ନିରଜଂନ ଚୌଧୁରୀ (୬୦) ବଟିରାର ଟିକିନା ସ୍ବାଇଁ (୨୦) ଓ ନଛିପଡାର ବେଙ୍ଗଲତା ବସନ୍ତିଆ(୪୫)। ଅନ୍ୟ ୧୧ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟିବା ପରେ ବସଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମଙ୍ଗରାଜପୁରର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ଦାସ ଅନ୍ୟ ଯୁବକମାନଙ୍କ ସହ ଏହି ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଥିଲେ।

ସମ୍ବନ୍ଧିତ ଖବର