ରାଜନଗର ହାଇସ୍କୁଲ୍‌ରେ ୨୦ ଲକ୍ଷର ଦୁର୍ନୀତି:ପ୍ରଧାନଶିକ୍ଷକଙ୍କ ବିରୋଧରେ ଚାର୍ଜଫ୍ରେମ୍‌

ଶିକ୍ଷା ବିଭାଗର ତନାଘନା

ରାଜନଗର: ରାଜନଗର ବ୍ଲକ ହେଡ୍‌କ୍ୱାର୍ଟରରେ ଥିବା ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆର୍ଥକ ଶୋଷଣ କରାଯାଉଥିଲା। ୧୩ ବର୍ଷ ମଧ୍ୟରେ ପବ୍ଲିକ ଓ ସରକାରୀ ଅର୍ଥ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚଳୁ କରି ଦିଆଯାଇଛି। ଏହି ସଙ୍ଗୀନ ମାମଲାରେ ତଦନ୍ତ କରି ବ୍ଲକ ଶିକ୍ଷାଧିକାରୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଅର୍ଥ ଆଦାୟ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲେ। ଏହି ତଦନ୍ତ ରିପୋର୍ଟକୁ ଜିଲ୍ଲା ଶିକ୍ଷାଧିକାରୀ ଦୀର୍ଘ ଅଢେଇ ମାସ ଧରି ଚାପି ରଖିଥିଲେ। ଏ ନେଇ ଗତ ୧୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଶିକ୍ଷାବିଭାଗରେ ତନାଘନା ଆରମ୍ଭ ହୋଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିଙ୍କଙ୍କୁ ୩୦ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ନଂ. ୪୭୬୭/ତା. ୩୦/୦୬/୨୦୧୮ରେ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର କପି ଗତ ୧୬ ତାରିଖ ଦିନ ହସ୍ତାନ୍ତର କରାଯାଇଛି। ଚିଠି ପାଇବାର ୩୦ ଦିନ ମଧ୍ୟରେ ୪ଟି ପଏଣ୍ଟରେ ଉତ୍ତର ଦେବାକୁ କୁହାଯାଇଛି। ସରକାରୀ ଘରେ ରହିବା ପାଇଁ କୌଣସି ପଦାଧିକାରୀଙ୍କଠାରୁ ଅନୁମତି ଆଣିନାହାନ୍ତି। ମାତ୍ର ସରକାରୀ ଘରେ ରହୁଛନ୍ତିି ଏବଂ ମିଥ୍ୟା ତଥ୍ୟ ଦେଇ ଘରଭଡ଼ା ନେଉଛନ୍ତି। ୨୦୦୬ରୁ ଶ୍ରୀ ମଲ୍ଲିକ ସ୍କୁଲ ପରିସରରେ ରହୁଥିବା ବେଳେ ସହକାରୀ ଶିକ୍ଷକ ସଂଘମିତ୍ରା ନାୟକ ୭ ବର୍ଷ ଧରି ଓ ଅନ୍ୟ ଜଣେ ବେସରକାରୀ ଶିକ୍ଷକ ବିଦ୍ୟାଳୟ ପରିସରରେ ରହୁଥିଲେ। ଯାହାକି ନିଜ ପଦବୀର ଅପବ୍ୟବହାର କରି ଠକାମୀ କରିଛନ୍ତି ବୋଲି ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ କରାଯାଇଛି। ଏଥିସହ ବିଦ୍ୟାଳୟ ପରିସରରେ ବେସରକାରୀ ସ୍କୁଲର ଗାଡ଼ି ପାର୍କିଂ ହୋଇଥାଏ। ସରକାରୀ ଚାକିରି କରି ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ ଏକ ବେସରକାରୀ ସ୍କୁଲ ପରିଚାଳନା କରୁଛନ୍ତି। ଯାହାକି ସି.ସି.ଏ. ନିୟମ ୧୯୬୨ର ଉଲ୍ଲଂଘନ ବୋଲି ଦର୍ଶାଯାଇଛି।
ଏହାବାଦ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରି ତାହାକୁ ଅପବ୍ୟବହାର କରିଛନ୍ତିି।

ଗେମ୍‌ ଆଣ୍ଡ ସ୍ପୋର୍ଟ୍ସ ପାଇଁ ୧୩ ଟଙ୍କା ୫୦ ପଇସା ବଦଳରେ ୧୭ ଟଙ୍କା ୫୦ ପଇସା, ମାଗାଜିନ୍‌ ପାଇଁ ୨ ଟଙ୍କା ବଦଳରେ ୧୩ ଟଙ୍କା, ଜେନେରାଲ୍‌ ଇନ୍ସ୍ୟୁରାନ୍ସ ପାଇଁ ୨ ଟଙ୍କା ବଦଳରେ ୨ ଟଙ୍କା ୫୦ ପଇସା, ନବମଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏନ୍‌ରୋଲ୍‌ମେଣ୍ଟ ପାଇଁ ୪୦ ଟଙ୍କା ବଦଳରେ ୬୦ ଟଙ୍କା ଆଦାୟ କରାଯାଇଥିବା ବେଳେ ବେଆଇନ୍‌ ଭାବେ ଡେଭ୍‌ଲପ୍‌ମେଂଟ୍‌ ଫଣ୍ଡ୍‌ ନାଁରେ ଛାତ୍ର ଛାତ୍ରୀଙ୍କ ଠାରୁ ୩୦ ଟଙ୍କା ଲେଖାଏଁ ଆଦାୟ କରିଛନ୍ତି। ଏହାବାଦ ଛାତ୍ରଛାତ୍ରୀଙ୍କଠାରୁ କର୍ପସ୍‌ ପାଣ୍ଠି ବାବଦରେ ୧୩ ଲକ୍ଷ ୮୨ ହଜାର ୪ଶହ ଟଙ୍କା ଆଦାୟ କରାଯାଇଛି। ସରକାରୀ ଘରେ ରହି ସରକାରଙ୍କଠାରୁ ଘର ଭଡ଼ା ବାବଦରେ ୧୨ ବର୍ଷ ୪ ମାସରେ ୧ ଲକ୍ଷ ୭୧ ହଜାର ୬୮୦ ଟଙ୍କା ନେଇଛନ୍ତି। ବିଦ୍ୟାଳୟର ବିଦ୍ୟୁତ୍‌ ସଂଯୋଗରେ ସେ ରହୁଥିବା ଘରେ ବିଜୁଳି ଜାଳୁଛନ୍ତି। ସେଥିପାଇଁ ୪ ଲକ୍ଷ ୩୧ ହଜାର ୧୨୪ ଟଙ୍କା ଶ୍ରୀ ମଲ୍ଲିକଙ୍କଠାରୁ ଆଦାୟ କରାଯିବ ବୋଲି ଦର୍ଶାଯାଇଛି। ବିଦ୍ୟାଳୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସଂଗଠିତ ଓ ଯୋଜନାବଦ୍ଧ ଭାବେ ଲୁଟ୍‌ ହୋଇଛି।
ସେହିପରି ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍‌ ୧୯୫୯ ଅନୁଯାୟୀ ଶ୍ରୀ ମଲ୍ଲିକ ସରକାରୀ ଚାକିରିରେ ରହିବାର ଯୋଗ୍ୟତା ନାହିଁ। ରୁଲ୍‌ ୨, ୩ ଅନୁଯାୟୀ ଯଦି ରହିବେ, ତାହା ଜନସ୍ୱାର୍ଥର ବିରୁଦ୍ଧାଚରଣ କରିବ ବୋଲି ଉଲ୍ଲେଖ କରାଯାଇଛି। ବିଦ୍ୟାଳୟସ୍ତରରେ ଏପରି ଘୋଟାଲା ହୋଇପାରେ, ତାହା ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟକିରାଣୀ ହିଂମାଶୁ ଶେଖର ବେହେରାଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗପତ୍ରର ଏକ କପି ପ୍ରଦାନ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର