କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ : ୫ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌

ରାଜନଗର: କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଆଜି ପୁଲିସ ୫ ଜଣଙ୍କୁ ଗିରଫ କରିଛିି। ତେବେ, ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜନଗର ବ୍ଲକର ପେଣ୍ଠ ବେଳାଭୂମି ଠାରୁ ୨ କିମି ଦୂର ସୁନ୍ଦରିପାଳ ନିକଟସ୍ଥ ଭିତରକନିକା ଜଙ୍ଗଲ ମଧ୍ୟରେ ଗତ ୧୪ ତାରିଖ ଦିନ ରାଜନଗର ଅଞ୍ଚଳର ଜଣେ କଲେଜଛାତ୍ରୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ବସିଥିବାବେଳେ ୮/୧୦ଜଣ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ବଳପୂର୍ବକ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ଦୃଶ୍ୟକୁ ଯୁବକମାନେ ରେକର୍ଡିଂ କରିଥିଲେ। ଯୁବକ-ଯୁବତୀଙ୍କଠାରୁ ଟଙ୍କା, ମୋବାଇଲ ଛଡାଇ ନେବା ସହ ମାଡ଼ ମାରିଥିଲେ। ଏହାପରେ ସେମାନେ ରେକର୍ଡିଂ କରିଥିବା ଭିଡିଓ ଓ ଫଟୋକୁ ହ୍ଵାଟ୍ସଆପ୍‌ ଓ ଫେସ୍‌ବୁକ୍‌ରେ ଭାଇରାଲ କରି ଦେଇଥିଲେ। ଗତକାଲି ଏ ସଂକ୍ରାନ୍ତରେ ପୀଡ଼ିତା ଜଣକ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଜନଗର ଥାନାରେ ଦଫା ୩୪୧, ୩୨୩, ୨୯୩, ୫୦୯, ୩୭୯, ୩୭୬, ୫୧୧, ୩୪ ଆଇ.ପି.ସି. ସେକ୍ସନ ୮, ୧୫, ଅଫ୍‌ ପୋସ୍କୋ ଆକ୍ଟ, ୬୬ (ଇ), ୬୭ (ବି), ଆଇଟି ଆକ୍ଟରେ ମାମଲା(୧୦୧/୧୮) ରୁଜୁ ହୋଇଥିଲା।

କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ପୁଲିସ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଭିଡିଓ ରେକର୍ଡିଂ ଏବଂ ଭାଇରାଲ୍‌ କରିଥିବା ସୁନ୍ଦରୀପାଳ ଗାଁର ମନି ମଣ୍ଡଳ (୨୫), ସୁକାନ୍ତ ମଣ୍ଡଳ (୩୦), ଗୋବର୍ଦ୍ଧନପୁର ଗାଁର ଅକ୍ଷୟ ସେଠୀ (୩୮), ବଡନାଉକୋଣା ଗାଁର ନିମାଇଁ ଚରଣ ପଢିହାରୀ(୩୪), ଭଦ୍ରକ ବଡହବାଳିସାହି ଗାଁର ଶମ୍ଭୁ ମଣ୍ଡଳ(୧୮)ଙ୍କୁ ଗିରଫ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଜୁଣୁପଙ୍ଗା ଗାଁର ଦୀପୁ ସ୍ୱାଇଁ ଫେରାର୍‌ ଅଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ୍‌ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର