୧୨ ବର୍ଷ ହେଲା ନିଖୋଜ ମାନସିକ ବିକୃତ ସ୍ବାମୀ:ଭଙ୍ଗା ଘରେ ଅସହାୟା ମହିଳା, ଗୁହାରି ଶୁଣୁନି ପ୍ରଶାସନ

ଡେରାବିଶ: ଡେରାବିଶ ବ୍ଲକ ଛୋଟି ଗ୍ରାମର ଅସହାୟ ମହିଳା ଧିରାମଣୀ ଦାସଙ୍କ ଦୁଃଖ କହିଲେ ନ ସରେ। ଦୀର୍ଘ ଦିନ ହେଲା ଜୀବନ ଧରି ପଡ଼ିଛନ୍ତି ଭଙ୍ଗା ଚାଳ ଘରେ। ଏଯାଏଁ ପ୍ରଶାସନ ତାଙ୍କୁ ପକ୍କା ଘର ଖଣ୍ଡେ ଦେଇନି। ବାରମ୍ବାର ବ୍ଲକ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବାବୁମାନଙ୍କ ପାଖରେ ନେହୁରା ହୋଇଛନ୍ତି। ତାଙ୍କ ଦୁଃଖ ଘୁଞ୍ଚି ପାରୁନି। ମାନସିକ ବିକୃତ ସ୍ବାମୀ ୧୨ ବର୍ଷ ହେଲା ଘରୁ କୁଆଡ଼େ ପଳାଇଛନ୍ତି। ୪ ପିଲାଙ୍କୁ ଧରି ଦୁଃଖେ‌କଷ୍ଟେ ପଡ଼ି ରହିଛନ୍ତି ସେ।
ସ୍ବର୍ଗତ ଧୋଇ ଦାସ କଲିକତାର ଏକ ଘରୋଇ ସଂସ୍ଥାରେ ମାଳି କାମ କରୁଥିବା ବେଳେ ତାଙ୍କ ସହିତ ପ୍ରଶାନ୍ତ କୁମାର ଦାସ ନାମକ ଯୁବକ ବି ତାଙ୍କ ସହ ମାଳି କାମ କରୁଥିଲେ। ପ୍ରଶାନ୍ତଙ୍କ ସହ ଧୋଇ ତାଙ୍କ ଏକମାତ୍ର ଅଲିଅଳୀ ଝିଅ ଧିରାମଣୀର ବିବାହ କରାଇଥିଲେ। ୩ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଧିରାମଣୀଙ୍କ ସଂସାର ସୁରୁଖୁରୁରେ ଚାଲିଥିଲା। ହେଲେ, ହଠାତ ସେମାନଙ୍କ ଜୀବନରେ ଦୁଃଖର ଝଡ଼ ମାଡ଼ି ଆସିଲା। ପ୍ରଶାନ୍ତ ମାନସିକ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ଯେତେ ଚିକିତ୍ସା କରାଗଲା ରୋଗ ଭଲ ହେଲାନି, ବରଂ ବଢି ଚାଲିଲା। ଦିନେ ହଠାତ୍‌ ପ୍ରଶାନ୍ତ କୁଆଡେ ପଳାଇଲେ। ୧୨ ବର୍ଷ ହେଲା ଆଇ ଫେରି ନାହାନ୍ତି। ୪ପିଲାଙ୍କୁ ନେଇ ସଂସାର ଚଳାଇବା କଷ୍ଟକର ହୋଇପଡିବାରୁ ଧିରାମଣୀ ଛୋଟିସ୍ଥିତ ବାପଘରକୁ ପଳାଇ ଆସିଥିଲେ। ବୃଦ୍ଧ ବାପା ବହୁ ଦୁଃଖ କଷ୍ଟ କରି ଝିଅକୁ ପ୍ରତିପୋଷଣ କରିଆସୁଥିଲେ । ହେଲେ ୬ବର୍ଷ ତଳେ ତାଙ୍କର ମୃତ୍ୟୁ ହେବାରୁ ଧିରାମଣୀଙ୍କ ଉପରେ ପରିବାର ପ୍ରତିପୋଷଣର ଦାୟିତ୍ବ ପଡିଥିଲା। ପଡୋଶୀଙ୍କ ସାହାଯ୍ୟ ଓ ପର ଘରେ କାର୍ଯ୍ୟ କରି ପିଲାଙ୍କ ପେଟରେ ଆହାର ଦେଉ ଆସୁଛନ୍ତି ସେ। ଭଙ୍ଗା ଘରେ ରହୁଛନ୍ତି। ୨ବଖରା ଚାଳ ଛପର ଘର ଥିଲା। ମରାମତି ହୋଇ ନ ପାରିବାରୁ ତାହା ଭାଙ୍ଗିରୁଜି ଗଲା। ଏବେ ମାତ୍ର ବଖରାଏ ଘରେ ଦୟନୀୟ ସ୍ଥିତିରେ ରହୁଛନ୍ତି ସେ।
ସରକାରୀ ଯୋଜନାରେ ଖଣ୍ଡେ ପକ୍କା ଘର ପାଇବା ପାଇଁ ବାରମ୍ବାର ବ୍ଲକ, ଜିଲ୍ଲା ପ୍ରଶାସନ, ଏପରିକି ଖୋଦ ଜିଲ୍ଲାପାଳଙ୍କ ପାଖକୁ ଦୀର୍ଘ ବର୍ଷ ହେଲା ଦୈାଡ଼ୁଛନ୍ତି। କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି। ପ୍ରାଥମିକ ତାଲିକାରେ ନାମ ନ ଥିବା ଦର୍ଶାଯାଇ ଧିରାମଣୀଙ୍କୁ ପକ୍କା ଘର ଖଣ୍ଡେ ଦିଆଯାଉ ନ ଥିବା ସରପଞ୍ଚ କୁମାରଚନ୍ଦ୍ର ବଳ ଅଭିଯୋଗ କରିଛନ୍ତି। ବହୁ ଥିଲାବାଲା ପକ୍କା ଘର ହାତେଇ ନେଉଥିବା ବେଳେ ଏହି ଗରିବ ଅସହାୟ ମହିଳାଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ତାଙ୍କୁ ତୁରନ୍ତ ପକ୍କା ଘର ଯୋଗାଇ ଦେବାକୁ ସରପଞ୍ଚ ଶ୍ରୀ ବଳ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର