କରୋନା ସତର୍କତାକୁ ଦୃଷ୍ଟିରେ ରଖି ୩୧ ଯାଏ ଭିତରକନିକା ବନ୍ଦ: ୫ ଦିନରେ ଆସିଛନ୍ତି ୫ ବିଦେଶୀ ପର୍ଯ୍ୟଟକ

ରାଜନଗର : କରୋନା ସତର୍କତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏ ୧୫ଦିନ ପାଇଁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକଙ୍କୁ ଛଡାଯିବ ନାହିଁ ବୋଲି କନିକା ରେଂଜ ଅଫିସର ସୁଶ୍ରୀ ସ୍ବାତୀ ମହାନ୍ତି ସୂଚନା ଦେଇଛନ୍ତି। କୋଣାର୍କ, ପୁରୀ, ନନ୍ଦନକାନନ ଦୁଇଦିନ ପୂର୍ବରୁ ବନ୍ଦ କରାଯାଇଥିଲେ ମଧ୍ୟ ଭିତରକନିକା ଖୋଲା ରହିଥିଲା। ଗତକାଲି ରାତିରେ ଭୁବନେଶ୍ବରରେ କରୋନା ରୋଗୀ ଚିହ୍ନଟ ପରେ ଏହି କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତ ୫ଦିନରେ ଭିତରକନିକାକୁ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଏମାନଙ୍କ ମଧ୍ୟରେ ୫ଜଣ ବିଦେଶୀ ପର୍ଯ୍ୟଟକ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୧୧ତାରିଖରେ ସୁଇଜରଲ୍ୟାଣ୍ତର ଦୁଇଜଣ ପର୍ଯ୍ୟଟକ ଭିତରକନିକାରେ ରାତ୍ରୀଯାପନ କରି ୧୨ ତାରିଖରେ ଫେରିଥିଲେ। ୧୨ ତାରିଖରେ ସୁଇଜରଲ୍ୟାଣ୍ତର ଆଉ ଦୁଇଜଣ ପର୍ଯ୍ୟଟକ ଆସିଥିବା ବେଳେ ୧୩ ତାରିଖ ଦିନ ଫ୍ରାନ୍ସର ଜଣେ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିବା ସହ ଫେରିଯାଇଛନ୍ତି। ବିଦେଶୀ ପର୍ଯ୍ୟଟକ ୩ଦିନ ଧରି ଭିତରକନିକାରେ ଥିଲେ ମଧ୍ୟ ସେମାନଙ୍କ ସଂପର୍କରେ ସୂଚନା ସ୍ବାସ୍ଥ୍ୟବିଭାଗ ପାଖରେ ନ ଥିଲା। ଏ ସଂପର୍କରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମିରଂଜନ ମହାନ୍ତିଙ୍କୁ ପଚାରିବାରୁ ବିଦେଶୀ ପର୍ଯ୍ୟଟକ କେଉଁ ଦେଶରୁ ଆସିଲେ। ଆସିବାବେଳେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବନବିଭାଗ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା କଥା। ସେମାନଙ୍କୁ ଏ ନେଇ ପୂର୍ବରୁ ଗାଇଡ୍‌ଲାଇନ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ବେ ସେମାନେ ଆମକୁ ଜଣାଇ ନ ଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର