ବିଜେପି ଆକ୍ରୋଶ ସମାବେଶରେ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ : ଦଳ ଛାଡ଼ିଲେ ରାଜ୍ୟ ମୁଖପାତ୍ର ଜ୍ଞାନଦେବ

ରାଜନଗର : କେନ୍ଦ୍ରାପଡ଼ାର ରାଜନଗରରେ ବିଜେପି କର୍ମକର୍ତ୍ତା ଆଜି ଆକ୍ରୋଶ ସମାବେଶର ଆୟୋଜନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଗଣତାନ୍ତ୍ରିକ ଭାବେ ନିଷ୍ପତ୍ତି ନେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ଖାଲି ରାଜନଗର କାହିଁକି ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକୁ ହଇଚଇ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଜନଗର ନିର୍ବାଚନମଣ୍ତଳୀର ସମସ୍ତ ଆଶାୟୀ ପ୍ରାର୍ଥୀ, ଦଳୀୟ କର୍ମକର୍ତା, ଜୋନ୍ ଓ ପଂଚାୟତ ସଭାପତି ମିଳିତ ଭାବେ ଏହି ଆକ୍ରୋଶ ସମାବେଶର ଆୟୋଜନ କରିଥିଲେ। ପଟ୍ଟାମୁଣ୍ତାଇ ବ୍ଲକର ଚୁନଢିଅ ଠାରୁ ଏବଂ ରାଜନଗର ବ୍ଲକର ଜରିମୂଳ ଠାରୁ ଦୁଇଟି ବାଇକ ଶୋଭାଯାତ୍ରା ବାହାରି ମଦନପୁର ଯଜ୍ଞପଡିଆରେ ପହଁଚିଥିଲା। ମଦନପୁର ଯଜ୍ଞପଡିଆରେ ରାଜନଗର ନିର୍ବାଚନମଣ୍ତଳୀ ସଂଯୋଜକ ନୀଳମଣି ସାହାଣୀଙ୍କ ସଭାପତିତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ସଭାରେ ରାଜ୍ୟ ବିଜେପି ମୁଖପାତ୍ର ଜ୍ଞାନଦେବ ବେଉରା ଯୋଗଦେଇ ଜିଲ୍ଲାରେ ଚକ୍ରାନ୍ତକାରୀ ନେତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଭାବିତ କରୁଛନ୍ତି ଓ କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ ସଦବୁଦ୍ଧି ଉଦୟ ହେଉ ବୋଲି କହିଥିଲେ। ଏହି ପ୍ରତିବାଦ ସଭାରେ ଜିଲ୍ଲା ଉପସଭାପତି ତଥା ବରିଷ୍ଠନେତା ରଶ୍ମିରଂଜନ ପ୍ରଧାନ ଯୋଗଦେଇ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକେଟ ନ ଦିଆଗଲେ, ରାଜନଗର କର୍ମକର୍ତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ଏହି ସମାବେଶରେ ଯୁବନେତା ଅଜୟ କୁମାର ବେହେରା, କେନ୍ଦ୍ରାପଡା ଜିଲ୍ଲା ମିଡିଆ ପ୍ରଭାରୀ ବିଜୟ ନାୟକ, ଯୁବନେତା ହିମାଂଶୁ ପଣ୍ତା, ବିକ୍ରମ ଖଣ୍ଡେଇ, ନୟନ କୁମାର ଗିରି, ସମୀର ପାତ୍ର, ବିଭୂତି ପାତ୍ର, ପଟ୍ଟାମୁଣ୍ତାଇ ଏନଏସି ସଭାପତି ପଦ୍ମନାଭ ପଣ୍ତା, ଜୋନ ସଭାପତି ନିରଂଜନ ସ୍ବାଇଁ, ନୀଳକଣ୍ଠ ଦାସ, ନୀଳକଣ୍ଠ ମିଶ୍ର, ବସନ୍ତ କୁମାର ମିଶ୍ର, ନଗେନ୍ଦ୍ର କୁମାର ପାତ୍ର, ଟୁଟୁ ରାଉଳ, ଜିଲ୍ଲା ଉପସଭାପତି ମେଘଶ୍ୟାମ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଆକ୍ରୋଶ ସମାବେଶରେ ନିର୍ବାଚନମଣ୍ଡଳୀର ବହୁ ବିଜେପି କର୍ମୀଙ୍କୁ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ, ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ବେଉରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ଅବସରରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର