ମିଶ୍ରଣପର୍ବ ପୂର୍ବରୁ ବିଜେପିରେ ଫାଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ଆସନ୍ତାକାଲି ବିଜେପିର ମିଶ୍ରଣ ପୂର୍ବରୁ ଦଳ ମଧ୍ୟରେ ଫାଟ ଦେଖାଦେଇଛି। ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ପାଇଁ ସଜବାଜ ହେଉଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ମଧ୍ୟ ଅଣ୍ଡାମାଡ଼ କରାଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ଆସନ୍ତାକାଲି ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ କଷଣଅଣ୍ଟା ଯାତ୍ରା ପଡ଼ିଆଠାରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ରାଜନଗରର ପୂର୍ବତନ ବିଧାୟକ ଅଲେଖଚନ୍ଦ୍ର ଜେନା ଓ ମହାକାଳପଡ଼ା ବ୍ଲକ୍‌ର ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ଭଳି ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦଳ ମଧ୍ୟ ୨୫ ହଜାର ଲୋକଙ୍କ ସମାଗମ ନେଇ ପ୍ରସ୍ତୁତି ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେପିର ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀ ଏହି ସମାବେଶକୁ ବିରୋଧ କରିବା ପାଇଁ ପ୍ରାଣମୂର୍ଚ୍ଛା ଲାଗିପଡ଼ିଛନ୍ତି। ଗୋଟିଏ ପଟେ ବିଜେପି ସମାବେଶକୁ ସଫଳ କରିବା ପାଇଁ ଲାଗିପଡ଼ିଥିବାବେଳେ ଅନ୍ୟପଟେ ଏହି ଗୋଷ୍ଠୀ ଅନ୍ତର୍ଭୁକ୍ତ ଦଳୀୟ ନେତାମାନେ ଲୋକଙ୍କ ନିବୃତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

କିଛିଦିନ ତଳେ ୨୦୦୯ ମସିହାରେ ରାଜନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜୟ କେତନ ସ୍ୱାଇଁ ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିଲା ପରେ ସେ ଶ୍ରୀ ସ୍ୱାଇଁ ସିଧାସଳଖ ବିଜେପିକୁ ସମାଲୋଚନା କରୁଥବା ଦେଖିବାକୁ ମିଳିଛି। ଏପରିକି, ବିଜେପିର ମିଶ୍ରଣ ପର୍ବକୁ ବିରୋଧ କରିବା ପାଇଁ ସେ ନିଜ ସମର୍ଥକଙ୍କୁ ଏକାଠି ହୋଇଛନ୍ତି। ତେବେ, ଦଳର ଆଉ କେତେଜଣ ବରିଷ୍ଠ ନେତା ମଧ୍ୟ ଏଥିରେ ସାମିଲ୍‌ ହୋଇଛନ୍ତି। ଏହି ନେତାମାନେ ଦଳ ମଧ୍ୟରେ ଦୀର୍ଘଦିନରୁ ଉପେକ୍ଷିତ ହୋଇଆସୁଛନ୍ତି। ସେମାନଙ୍କୁ ଦଳୀୟ ବିଶ୍ୱାସ ଭିତରକୁ ନିଆଯାଉନାହିଁ କିମ୍ବା କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଉନାହିଁ। ଫଳରେ, ସେମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷର ଜବାବ ଦେବା ପାଇଁ ସୁଯୋଗରେ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଦଳର କିଛି ନେତା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରେ କୋଣଠେସା କରାଯିବା ଓ ଉଭୟ ମିଶ୍ରଣ ପର୍ବରେ ତାଙ୍କୁ ଡକାନଯିବା ଅପମାନକୁ କର୍ମୀମାନେ ହଜମ କରି ପାରୁ ନାହାନ୍ତି। ରକ୍ତ ଚାଉଳ ଚୋବାଉଥିବା ବିଜୟଙ୍କ ସମର୍ଥକମାନେ ଏହି ସମାବେଶକୁ ବିରୋଧ କରିବା ସହିତ ଅଣ୍ଡାମାଡ଼ ହେବ ବୋଲି ଚେତାବନୀ ଶୁଣାଇଛନ୍ତି। ଆଜି ବିଜୟଙ୍କ ଖାସ୍‌ ସମର୍ଥକ କୁହାଯାଉଥିବା ଜିଲ୍ଲା ଯୁବମୋର୍ଚ୍ଚର ପୂର୍ବତନ ଉପସଭାପତି ସବ୍ୟସାଚୀ ମହାମଲ୍ଲ ଏଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘୨୦ ବର୍ଷ ହେଲା ସଂଗଠନ ଠିଆ କରାଇଥିବା ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କୁ ଛାଡ଼ି ପ୍ରତାରିତଙ୍କୁ ସାଉଁଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ ଶିକ୍ଷା ଦିଆଯିବ।’ ଇଚ୍ଛାପୁର ମିଶ୍ରଣ ପର୍ବ ଫେଲ ମାରିବା ପରେ ପଟ୍ଟାମୁଣ୍ଡାଇ ସମାବେଶରେ ଦଳ ସମଦଶା ଭୋଗ କରିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି।

ପ୍ରକାଶଥାଉକି, ୬ ମାସ ପୂର୍ବେ ଇଚ୍ଛାପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦୁଇ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଓ ଦୋଳଗୋବିନ୍ଦ ନାୟକ ବିଜେପିରେ ଯୋଗ ଦେଇଥିଲେ। ଆସନ୍ତାକାଲି ହେଉଛି ଦଳର ଦ୍ୱିତୀୟ ବଡ଼ କାର୍ଯ୍ୟକ୍ରମ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଦଳୀୟ ରାଜ୍ୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର