ଶାଶୂଘରେ ବୋହୂର ଅସ୍ବାଭାବିକ ମୃତ୍ୟୁ :ହତ୍ୟା ଅଭିଯୋଗ ଆଣିଲେ ବାପା, ଦେଢଶୁର ଅଟକ

ଚାନ୍ଦୋଳ,: ଡେରାବିଶ ଥାନା ଅନ୍ତର୍ଗତ ପଲେଇ ପଞ୍ଚାୟତ ଜାମୁଦଣ୍ତା ଗ୍ରାମର ପ୍ରକାଶ ଯେନାଙ୍କ ପତ୍ନୀ ଦମୟନ୍ତୀଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଦମୟନ୍ତୀଙ୍କ ବାପା ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଡେରାବିଶ ପୁଲିସ୍‌ ଦେଡ଼ଶୂରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଡେରାବିଶ ଥାନା ଅନ୍ତର୍ଗତ ପଲେଇ ପଞ୍ଚାୟତର ଜାମୁଦଣ୍ତା ଗ୍ରାମର ଶଙ୍କର୍ଷଣ ଯେନାଙ୍କ ସାନପୁଅ ପ୍ରକାଶ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ମଳିକଙ୍କ ଝିଅ ଦମୟନ୍ତୀଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ରାମଚନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ବିବାହ ସମୟରେ ସେ ଦାବି ମୁତାବକ ଯୌତୁକ ଦେଇଥିଲେ। କିନ୍ତୁ ମାସକ ପରେ ଅଧିକ ଯୌତୁକ ଦାବି କରି ଦମୟନ୍ତୀକୁ ଶାଶୂ ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ରାମଚନ୍ଦ୍ର ବହୁ କଷ୍ଟରେ ଯୋଗାଡ଼ କରି ୧୦ ହଜାର ଟଙ୍କା ଦେଇଥିଲେ। ଏହା ପରେ ବି ଦମୟନ୍ତୀଙ୍କ ଉପରେ ଅତ୍ୟାଚାର କମି ନ ଥିଲା। ଆଜି ସକାଳେ ଦମୟନ୍ତୀ ବାପା ରାମଚନ୍ଦ୍ରଙ୍କୁ ଫୋନ କରି ଗତକାଲି ରାତିରେ ଶାଶୂ ଘର‌ ଲୋକେ ତାଙ୍କୁ ମାଡ଼ ମାରି ଆହତ କରିଥିବା କଥା କହିବା ସହ ତାଙ୍କୁ ନେଇଯିବା ପାଇଁ କହିଥିଲେ। ହେଲେ ପରିବାର ଲୋକେ ଆସି ପହଂଚିଲା ବେଳକୁ ଦମୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ। ଏ ନେଇ ପଚାରିବାରୁ ରାମଚନ୍ଦ୍ରଙ୍କୁ ସେମାନେ ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇ ଡେରାବିଶ ଥାନା ଅଧିକାରୀ ଉମାକାନ୍ତ ନାୟକ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦେଡ଼ଶୂରକୁ ଅଟକ ରଖି ପଚରାଉଚୁରା କରୁଛି।
ଦମୟନ୍ତୀର ସ୍ବାମୀ ପ୍ରକାଶ ବମ୍ବେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କର ଅଢେ଼ଇ ବର୍ଷର ଶିଶୁପୁତ୍ର ରହିଛି। ଅପରପକ୍ଷରେ ପାରିବାରିକ କଳହରୁ ଆଜି ସକାଳେ ଦମୟନ୍ତୀ ରଶିଲଗାଇ ଆତ୍ମହତ୍ୟା କରିଛି ବୋଲି ଶାଶୂ ଘର ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର