ସର୍ବସାଧାରଣ ରାସ୍ତାରେ ଇନ୍ଦିରାଆବାସ ନିର୍ମାଣ:ଘର ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

ମହିଳାଙ୍କ ସହିତ ସରପଞ୍ଚ ଓ ଗ୍ରାମବାସୀ ଅନଶନରେ

ଆଳି: ଆଳି ତହସିଲ ଅଧୀନ ପେତପଡା ଗ୍ରାମପଞ୍ଚାୟତ ଠାକୁରପାଟଣା ଗ୍ରାମର ଜନୈକା ବାସିନ୍ଦାଙ୍କ ବାସଗୃହ ଭାଙ୍ଗିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଳି ତହସିଲଦାର ନୋଟିସ ଜାରି କରିଛନ୍ତି। ସଂପୃକ୍ତ ଗୃହମାଲିକ ସରକାରୀ ସଂପତ୍ତିକୁ ଜବରଦଖଲ କରି ଇନ୍ଦିରା ଆବାସ କୋଠା ନିର୍ମାଣ କରିବା ସହିତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଉଚ୍ଛେଦ ଆଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ପୁନର୍ବିଚାର ନିମନ୍ତେ ଅବରୋଧକାରୀଙ୍କ ପରିବାର ସହିତ ପେତପଡା ସରପଞ୍ଚ ଓ କେତେକ ଗ୍ରାମବାସୀ ଆଜି ସକାଳୁ ଆଳି ତହସିଲଦାରଙ୍କ ଅଫିସ ସାମ୍ନାରେ ଅନଶନରେ ବସି ରହିଥିିବା ଦେଖିବାକୁ ମିଳିଛି।
ପ୍ରକାଶଯୋଗ୍ୟ ଯେ ଠାକୁରପାଟଣା ଗ୍ରାମର ଜନୈକା ପତିହରା କେବତୀ ଦାସ ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଇନ୍ଦିରା ଆବାସ ଗୃହ ନିର୍ମାଣ କରିଥିବାରୁ ଗ୍ରାମର ୧୫ ପରିବାରଙ୍କ ଯାତାୟତ ପଥ ଅବରୋଧ ହୋଇଥିବା ସଂପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁଜୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଜିଲ୍ଲାପାଳ ତଦନ୍ତ ନିମନ୍ତେ ଆଳି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପରେ ଜିଲ୍ଲାପାଳ ସଂପୃକ୍ତ ବାସଗୃହକୁ ଭାଙ୍ଗିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବୁଧବାର କୋଠା ଭଙ୍ଗାଯିବା ସଂପର୍କରେ ତହସିଲଦାର ନୋଟିସ ଜାରି କରିବା ପରେ କେବତୀ ନିରୁପାୟ ହୋଇ ଆଜି ତାଙ୍କର ଏକମାତ୍ର ଝିଅ ସୁଚିସ୍ମିତାଙ୍କୁ ଧରି ଅନଶନରେ ବସିଥିବା ବେଳେ ତାଙ୍କୁ ସମର୍ଥନ ଜଣାଇ ପେତପଡା ସରପଞ୍ଚ ଅଦ୍ୱୈତ୍ୟ ପ୍ରଧାନ, ପୂର୍ବତନ ସରପଞ୍ଚ ଶିବପ୍ରସାଦ ବେହେରା, ଗଙ୍ଗାଧର ଦାସ, ପ୍ରଫୁଲ୍ଲ ନାୟକ, ଜବାହରଲାଲ ଦାସ, ବିନୋଦ ଦାସ, ଉର୍ମିଳା ଦାସ, ପାର୍ବତୀ ଦାସ, ସ୍ୱର୍ଣଲତା ଦାସ, ମଧୁସ୍ମିତା ଦାସ, ଦାମୋଦର ଦାସ, ଦୈତ୍ୟାରୀ ବେହେରା ପ୍ରମୁଖ କେତେକ ଗ୍ରାମବାସୀ ଅନଶନରେ ବସି ରହିଥିଲେ।

ସକାଳ ୮ଟାରୁ ଅପରାହ୍ନ ଯାଏ ଅନଶନରେ ବସିବା ପରେ ଏକ ପ୍ରତିନିଧି ଦଳ ରାଜକନିକା ଗସ୍ତରେ ଥିବା କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟିଥିଲେ। ତେବେ କେନ୍ଦ୍ରାପଡା ଜିଲ୍ଲାପାଳ ନିଷ୍ପତ୍ତିର ପୁନର୍ବିଚାର ହୋଇ ପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଅପରପକ୍ଷରେ ଆଳି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଲେ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ୧୩ ତାରିଖରେ କେବତୀଙ୍କ ଘର ଭଙ୍ଗାଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ସଂପତ୍ତି ଉପରେ କେବତୀ ଦାସ ସରକାରୀ ଇନ୍ଦିରା ଆବାସ ପାଇଲେ କେମିତି? ଗତ ୨୦୧୫ ମସିହା ମେ ୨୩ ତାରିଖରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ନମ୍ବର ୨୪୧୯ରେ ସରକାରୀ ସଂପତ୍ତି ଉପରେ କେବତୀଙ୍କୁ ଇନ୍ଦିରା ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଲେ କେଉଁ ଅଧିକାରୀ? ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବତୀଙ୍କ ଗୃହ ଉଚ୍ଛେଦ ପାଇଁ ପ୍ରଶାସନିକ ନିର୍ଦ୍ଦେଶ ହେଉଥିବା ବେଳେ କେଉଁ କାରଣରୁ ଇନ୍ଦିରା ଆବାସ ଯୋଗାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର