ଭିତରକନିକାରେ ବସା ବାନ୍ଧିଛନ୍ତି କୁମ୍ଭୀର:ବସାର ତାପମାତ୍ରାରୁ କୁମ୍ଭୀରର ଲିଙ୍ଗ ନିରୂପଣ

ବଡ଼ ପଶୁମାନଙ୍କ ଗର୍ଭଧାରଣ ସମୟରେ ଲିଙ୍ଗ ନିରୂପମିତ ହୋଇଥାଏ। ମାତ୍ର ସରୀଶୃପ ଜୀବଙ୍କ ଲିଙ୍ଗ ଉତ୍ତାପ ଦ୍ୱାରା ନିରୂପିତ ହୋଇଥାଏ। ଅଣ୍ଡା ଉଷୁମ ସମୟରେ ଉତ୍ତାପ ଓ ଆର୍ଦ୍ରତାକୁ ନେଇ ଲିଙ୍ଗ ନିରୂପିତ ହୋଇଥାଏ। ବେଶୀ ଉତ୍ତାପ ହେଲେ ଅଣ୍ଡିରା ଓ କମ୍‌ ହେଲେ ମାଈ କୁମ୍ଭୀର ଶାବକ ହୋଇଥାଏ। ମାତ୍ର କଇଁଛଙ୍କ କ୍ଷେତ୍ରରେ କମ୍‌ ଉତ୍ତାପରେ ଅଣ୍ଡିରା ଓ ଅଧିକରେ ମାଈ ଛୁଆ ହୋଇଥାଏ।
ଭିତରକନିକାରେ ବାସକରୁଥିବା ଲୁଣିପାଣି କୁମ୍ଭୀର ବା ବଉଳାକୁମ୍ଭୀରଙ୍କ ଏବେ ଚାଲିଛି ପ୍ରଜନନଋତୁ। ଏକମାସ ହେଲା ମା’ କୁମ୍ଭୀରମାନେ ଭିତରକନିକାରେ ବସାବାନ୍ଧି ଅଣ୍ଡା ଦେବାରେ ଲାଗିଛନ୍ତି। ନିରାପଦ ସ୍ଥାନରେ ଖରଖରୀପତ୍ର, କାଠିକୁଟା ସଂଗ୍ରହ କରି ମା’ କୁମ୍ଭୀର ବସା ବାନ୍ଧିବା ସହ ବସାକୁ ଜଗି ରହିଛି। ଚଳିତବର୍ଷ ଆଜି ସୁଦ୍ଧା ଭିତରକନିକାରେ ୮୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।
ଲୁଣିପାଣି କୁମ୍ଭୀର ବା ବଉଳାକୁମ୍ଭୀର ଲୁଣାଜଙ୍ଗଲରେ ପ୍ରବାହିତ ନଦୀ ନାଳରେ ରହିବାକୁ ଭଲପାଆନ୍ତି। ଯେଉଁଠି ସୁସ୍ଥ ଲୁଣାଜଙ୍ଗଲ ରହିଛି, ସେଠାରେ ବଉଳା କୁମ୍ଭିର ଅଛନ୍ତି। ଭାରତର ଆଣ୍ଡାମାନନିକୋବର ଆଇଲ୍ୟାଣ୍ଡ, ପଶ୍ଚିମବଙ୍ଗର ସୁନ୍ଦରବନ ଲୁଣାଜଙ୍ଗଲ ଓ ଓଡ଼ିଶାର ଭିତରକନିକାରେ ବଉଳାକୁମ୍ଭୀର ଅଛନ୍ତି। ଯେଉଁଠି ଲୁଣାଜଙ୍ଗଲ ଧ୍ୱଂସ ପାଇଯାଇଛି ସେଠାରେ ବଉଳାକୁମ୍ଭୀରଙ୍କ ବଂଶ ମଧ୍ୟ ଲୋପ ପାଇଯାଇଛି। ଭିତରକନକା ନଦୀପଠା ଭଲ ଥିବାରୁ, ପ୍ରତିଦିନ ଜୁଆର ଛାଡ଼ ହେଉଥିବାରୁ ଓ ଜୈବବିବିଧତା ସମୃଦ୍ଧ ଥିବାରୁ ଭିତରକନିକା ବଉଳାକୁମ୍ଭୀରଙ୍କ ପାଇଁ ଶ୍ରେଷ୍ଠ ଆବାସସ୍ଥଳୀ ପାଲଟିଛି। ପ୍ରତିବର୍ଷ ମଇ ମାସରୁ ଜୁଲାଇ ମାସ ହେଉଛି ବଉଳାକୁମ୍ଭୀରଙ୍କ ପ୍ରଜନନଋତୁ। ଏହି ୩ମାସରେ ବଉଳାକୁମ୍ଭୀର ନିରାପଦ ସ୍ଥାନରେ ନିଜ ପସନ୍ଦରେ ବସା ବାନ୍ଧିବା ସହ ଅଣ୍ଡା ଦେଇ ଛୁଆ ଫୁଟାଇଥାନ୍ତି। ମା’ କୁମ୍ଭୀର ଅନ୍ତଃସତ୍ୱା ହେବା ପରେ ବସା ବାନ୍ଧିବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନଈ ଓ ନାଳଠାରୁ ଟିକେ ଉଚ୍ଚାସ୍ଥାନରେ ଯେପରି ଜୁଆର ସମୟରେ ବସା ଭାସି ନ ଯିବ, ସେହି ସ୍ଥାନରେ ବସାବାନ୍ଧିଥାନ୍ତି। ଖରଖରିପତ୍ର ଓ କାଠିକୁଟାକୁ ସଂଗ୍ରହ କରି ଦେଢରୁ ଦୁଇଫୁଟ ଉଚ୍ଚର ଗଦା କରିଥାନ୍ତି। ଏହି ଗଦା ଉପରେ ଅଣ୍ଡାଦେବା ପରେ ତା’ଉପରେ ପୁଣି ଖରଖରି ପତ୍ର ଓ କାଠିକୁଟା ଘୋଡାଇ ଦେଇଥାନ୍ତିି। ପ୍ରତ୍ୟେକ ମା’କୁମ୍ଭୀର ୪୦ରୁ ୫୦ଟି ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ। ମା’କୁମ୍ଭୀର ଅଣ୍ଡା ଦେବା ପରେ ବସା ଉପରେ କିମ୍ବା ବସା ପାଖରେ (୫ରୁ ୧୦ ଫୁଟ ଦୂରତା ମଧ୍ୟରେ) ଜଗି ବସିଥାଏ। ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ଉଠିଥାନ୍ତିି। ଏଥିପାଇଁ ପ୍ରତିବର୍ଷ ବନବିଭାଗ ପକ୍ଷରୁ ମଇ ୧ ତାରିଖରୁ ଜୁଲାଇ ୩୧ ଯାଏଁ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।
ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ଏ ବର୍ଷ ୮୫ଟି ବସାରେ ଅଣ୍ଡା ଦେଇଥିବା ଜଣାପଡିଛି। ବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାରୁ ଏହି ସଂଖ୍ୟା ବୃଦ୍ଧିପାଇବ। ଭିତରକନିକା ଫରେଷ୍ଟବ୍ଲକ ଓ ଡାଙ୍ଗମାଳ ଫରେଷ୍ଟବ୍ଲକର ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରି, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍‌ ଅଂଚଳରେ ଅଧିକ ସଂଖ୍ୟକ କୁମ୍ଭୀର ବସା କରି ଅଣ୍ଡା ଦେଇଥିବା ଜଙ୍ଗଲବିଭାଗ ସୁତ୍ରରୁ ଜଣାପଡିଛି। ୨୦୧୪-୧୫ରେ ଭିତରକନିକାରେ ୬୧ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ୨୦୧୫-୧୬ରେ ୬୩ଟି, ୨୦୧୬-୧୭ରେ ୭୫ଟି, ୨୦୧୭-୧୮ରେ ୮୦ଟି ଓ ଚଳିତବର୍ଷ ଆଜିସୁଦ୍ଧା ୮୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର