କ୍ଷେତରେ ଧାନ ପଚିଲା,ଦୁର୍ଦ୍ଦଶାରେ ଚାଷୀ

ବିରିଡି : ମାସକ ତଳେ ହୋଇଥିବା ଲଗାଣ ବର୍ଷାର ପାଣି ଏବେ ବି ଜମି ରହିଛି ଧାନ କ୍ଷେତରେ। ହେଲେ, ପ୍ରଶାସନ ପକ୍ଷରୁ ସେମାନଙ୍କୁ ମିଳୁନି ସାହାଯ୍ୟ। ବିରିଡି ବ୍ଲକ ହାଜିପୁର ଗ୍ରାମର ଚାଷୀ ମନୋରଞ୍ଜନ ବେହେରାଙ୍କ ମାତ୍ର ଖଣ୍ଡିଏ ଜମିରେ ଗୋଟିଏ ଏକରରୁ ଅଧିକ ଅଞ୍ଚଳରେ ଧାନ ଗଛ ସବୁ ଆଜି ପର୍ଯ୍ୟନ୍ତ ପାଣିରେ ପଡ଼ି ରହି ଗଜା ବାହାରି ବାହାରକୁ ଦିଶିଲାଣି। ସମାନ ପ୍ରକାର ସ୍ଥିତି ହାଜିପୁର ଅଞ୍ଚଳର ଥାନାଗଡା ନିକଟ ଜମିରେ ମଧ୍ୟ ଦେଖିବାକୁ ମିଳିଛି। କେବଳ ଧାନଚାଷ ଉପରେ ନିର୍ଭର କରିଥାଆନ୍ତି ମନୋରଞନଙ୍କ ୫ ପ୍ରାଣୀ କୁଟୁମ୍ବ। ଏହି ଜମିରୁ ସେ ପ୍ରାୟ ୨୫ବସ୍ତା ଧାନ ପାଇଥାଆନ୍ତେ ଯାହାର ଆନୁମାନିଳ ମୂଲ୍ୟ ୩୦ହଜାର ଟଙ୍କା।

କେମିତି ପରିବାର ଚଳାଇବେ ଓ କରଜ ଶୁଝିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଲଗାଣ ବର୍ଷାର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କ ତଥ୍ୟ ପ୍ରଦାନ ନିମନ୍ତେ ଜିଲ୍ଲାପାଳ ବିରିଡି ବ୍ଲକ କୃଷି ବିଭାଗ ଓ ରାଜସ୍ୱ ବିଭାଗକୁ ନିର୍ଦେଶ ଦେଇଥିଲେ ବି ସେହି ଦୁଇ ବିଭାଗର କର୍ମଚାରୀମାନେ କୈାଣସି ମୈାଜାକୁ ନଯାଇ ମୁଷ୍ଟିମେୟ ବ୍ୟକ୍ତିଙ୍କ ନାମର ତାଲିକା ଦେଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ କୃଷକମାନେ ଦାବି କରିଛନ୍ତି। ଜିଲ୍ଲାପାଳ କିମ୍ବା କୃଷିମନ୍ତ୍ରୀ ବିିରିଡି ବ୍ଲକ ଗସ୍ତ କରିଲେ ଶହଶହ ଏକର ଧାନଗଛ ପାଣିରେ ବୁଡି ନଷ୍ଟ ହେବା ଏବଂ ଧାନରୁ ଗଜା ବାହାରିବା ଦୃଶ୍ୟ ଦେଖି ପାରନ୍ତେ ବୋଲି ଚାଷୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର