ଏନ୍‌କାଉଣ୍ଟର ଘଟଣା:ବାରମୂଳ ଜେଲ୍‌ ଗଲା ଲାଲା

କେନ୍ଦ୍ରାପଡ଼ା: କଟକ ବଡ଼ ମେଡିକାଲରୁ ଚିକିତ୍ସିତ ହୋଇ ଫେରିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍‌ ମୋଜାମିଲ୍‌ ଖାଁ ଓରଫ ଲାଲାକୁ ଆଜି କେନ୍ଦ୍ରାପଡ଼ା ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି। ଗତ ୯ ତାରିଖରେ ପୁଲିସ ଏନକାଉଣ୍ଟରରେ ଲାଲା ଆହତ ହୋଇଥିଲା। କେନ୍ଦ୍ରାପଡ଼ା ସମେତ ଯାଜପୁର, ଜଗତ୍‌ସିଂହପୁର ଓ କଟକ ସଦର ଅଞ୍ଚଳରେ ବିଭିନ୍ନ ଥାନାରେ ଲାଲା ବିରୋଧରେ ହତ୍ୟା, ଲୁଟ୍‌, ରାହାଜାନୀ ଭଳି ୧୮ରୁ ଅଧିକ ସଂଗୀନ୍‌ ମାମଲା ରହିଛି। ତାକୁ ଧରିବା ପାଇଁ କେନ୍ଦ୍ରାପଡ଼ା ପୁଲିସ ଜାଲ ବିଛାଇ ଥିଲା। ସେ ଡ଼େରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତର ହଳଦିଆ ଗ୍ରାମସ୍ଥିତ ଘରକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ପୁଲିସ ସେଠାରେ ଚଢାଉ କରିଥିଲା। ଲାଲା କେନ୍ଦ୍ରାପଡ଼ା-ଗୋଲରାହାଟ ରାସ୍ତାରେ ଅଳାବାଙ୍କ ଆଡ଼େ ଦୈାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତା ପଛରେ ଗୋଡ଼ାଇ ଥିଲା। ହେଲେ ଲାଲା ନିଜ ବନ୍ଧୁକରୁ ପୁଲିସ ଉପରକୁ ପ୍ରଥମେ ଗୁଳି ଫୁଟାଇଥିଲା। ପୁଲିସ ପାଲ୍‌ଟା ଗୁଳି ଚାଳନା କରିବାରୁ ତାହା ଲାଲାର ଗୋଡ଼ରେ ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ କଟକ ନିଆଯାଇଥିଲା। ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା ପୁଲିସର ସ୍ୱତନ୍ତ୍ର ସ୍କ୍ଵାଡ ଆଜି ତାକୁ ଧରି ଏଠାକୁ ଆଣିଥିଲା। ସଦର ଥାନାରେ ଏସ୍‌ପି ନୀତି ଶେଖର ତାକୁ ଜେରା କରିଥିଲେ। ପରେ ତାକୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର