ବିଲ ହାଣି ପାଣି କାଢିଲେ ଚାଷୀ:ଶୁଣିଲାନି ପ୍ରଶାସନ

କରିଲୋପାଟଣା: ଲଘୁଚାପଜନିତ ଲଗାଣ ବର୍ଷାରେ ମାର୍ଶାଘାଇ ବ୍ଲକ କରିଲୋପାଟଣା ପଞ୍ଚାୟତର ଶହଶହ ଏକର ଜମି ଜଳମଗ୍ନ ହୋଇ ପଡ଼ିଥିଲା। ଆଜିଯାଏଁ ଜମିରେ ପାଣି ଜମି ରହିଛି। ଚାଷୀମାନେ ଧାନ କାଟି ପାରିନାହାନ୍ତି। ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ଧାନ କାଟିବା ଦିନ ଗଡ଼ି ଯାଉଥିବାରୁ ଶେଷରେ ଚାଷୀମାନେ ଆଜି ବିଲ ହାଣି ପାଣି ନିଷ୍କାସନ କରିଛନ୍ତି।
ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ପାଇଁ ସରକାର ନାନା ଯୋଜନା କରୁଛନ୍ତି। ଏହାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି। ପ୍ରଶାସନିକ ଉଦସୀନତାର ଶିକାର ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ ପାଖରେ ସମୟ ନାହିଁ। ସେମାନଙ୍କ ସମସ୍ୟା ଶୁଣିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କରିଲୋପାଟଣା ପଞ୍ଚାୟତର ଗୋପେଇ, ନାରଣପୁର, ରାଏଚାନ୍ଦ, କରିଲୋ ଗ୍ରାମର ଚାଷୀମାନେ ଦୀର୍ଘ ୪୦ ବର୍ଷ ହେଲା ଜଳ ନିଷ୍କାସନ ସମସ୍ୟାରେ ଘାଣ୍ଟିଚକଟି ହେଉଛନ୍ତି। ଉକ୍ତ ଗ୍ରାମଗୁଡିକର ଚାଷୀମାନେ ପ୍ରତି ବର୍ଷ ଜଳ ନିଷ୍କାସନ ସମସ୍ୟା ଯୋଗୁ କ୍ଷତି ସହୁଛନ୍ତି। ଜଳ ନିଷ୍କାସନର ସୁବିଧା ନ ଥିବାରୁ ପ୍ରାୟତଃ ୫୦୦ ହେକ୍ଟରରୁ ଅଧିକ ଜମିରେ ଧାନ ରୋଇବାଠାରୁ ଆରମ୍ଭ କରି ଧାନ କାଟିବା ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀମାନେ। ଏ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ। ନଭେମ୍ବର ଓ ଡିସେମ୍ବରର ଲଘୁଚାପଜନିତ ଲଗାଣବର୍ଷାରେ ଏହି ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ସେମାନଙ୍କ ଜମିରେ ଏ ଯାଏଁ ପାଣି ଛିଡ଼ା ହୋଇ ରହିଛି। ସେମାନେ ଧାନ କାଟି ପାରୁ ନାହାନ୍ତି।
ଧାନ ସବୁ ପଚିବା ଆରମ୍ଭ କରିବାକୁ ବସିଲାଣି। ଲଘୁଚାପ ବର୍ଷାରେ ଯେଉଁ ଧାନ ସବୁ ବିଲରେ ରହିଛି ସେସବୁ ସଂଗ୍ରହ କରିବାକୁ ବିଳମ୍ବ ହେବାରୁ ଚାଷୀମାନେ ଏକାଠି ହୋଇ ଆଜି କୋଡି, କୋଦାଳରେ ବିଲ ହାଣି ପାଣି ନିଷ୍କାସନ କରିଛନ୍ତି। ବିଲରେ ପାଣି ଥିବାରୁ ଜମି ସବୁ ପାଗିବା ନେଇ ମଧ୍ୟ ବିଳମ୍ବ ହେଉଛି। ଏଣୁ ଏ ବର୍ଷ ମୁଗ ବୁଣିବା ନେଇ ଉକ୍ତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଯେଉଁ ଧାନ ଗଣ୍ଡାକ ବିଲରେ ଅଛି ପାଣି ଥିବା ଯୋଗୁଁ ଧାନ କଟା ମେସିନ୍‌ ବିଲରେ ପଶିପାରୁନାହିଁ। ଧାନ ଗଛର ମୂଳ ନରମ ହେବା ସହ ବିଲରେ ଧାନ ଝଡିବାକୁ ଆରମ୍ଭ କଲାଣି। ବସନ୍ତ ନୟକଙ୍କ ନେତୃତ୍ୱରେ ଅଞ୍ଚଳର ନିରଞ୍ଜନ ସ୍ୱାଇଁ, ବୈଷ୍ଣବ ଚରଣ ସ୍ୱାଇଁ, ଉପେନ୍ଦ୍ର ଖୁଣ୍ଟିଆ, ସୁରେନ୍ଦ୍ର ସ୍ୱାଇଁ, ଅଲେଖ ଦାସ, ଧନୁର୍ଦ୍ଧର ନାୟକ, ଅନାଦି ଚରଣ ପାତ୍ର, କଣ୍ଡୁରୀଚରଣ ପରିଡା, ଭାଗିରଥି ସ୍ୱାଇଁ ପ୍ରମୁଖ ଜଳ ନିଷ୍କାସନ କାମରେ ସହଯୋଗ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରା ନ ଗଲେ ଆସନ୍ତା ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର