କେନ୍ଦ୍ରାପଡ଼ା: ଚାନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ, ୫ ବଖରା ଭସ୍ମୀଭୂତ

ଧାନ-ଚାଉଳ ସମେତ ସମସ୍ତ ଘରୋଇ ଜିନିଷ ନଷ୍ଟ, ପହଞ୍ଚିଲାନି ପ୍ରଶାସନ

କେନ୍ଦ୍ରାପଡ଼: କେନ୍ଦ୍ରାପଡ଼ା ଜିଲ୍ଳାର ପଟ୍ଟମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ଚାନ୍ଦପୁର ଗ୍ରାମରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟାଏ ଖଞ୍ଜାରେ ରହୁଥିବା ଗାଁର ପାଞ୍ଚ ଭାଇ ରମାକାନ୍ତ ମଲ୍ଲିକ, କୈଳାସ ମଲ୍ଲିକ, କପିଳା ମଲ୍ଲିକ, ବାବୁଲା ମଲ୍ଲିକ ଓ ବିଚିତ୍ର ମଲ୍ଲିକଙ୍କ ଘର ସଂପୂର୍ଣ୍ଣ ଜଳିପୋଡ଼ି ପାଉଁସ ହୋଇଯାଇଛି।

ରୋଷେଇ ଗ୍ୟାସ୍‌ ଟାଙ୍କି ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣା ଘଟିବା ପରେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଦମକଳ ବାହିନୀର ଆଗ୍ନିକମାନେ ପହଞ୍ଚିବା ପୂର୍ବରୁ ଘର ଭିତରେ ଥିବା ଧାନ-ଚାଉଳ ସମେତ ଅନ୍ୟାନ୍ୟ ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। ଗଣତନ୍ତ୍ର ଦିବସ ଥିବାରୁ ପ୍ରଶାସନିକ ଅଧିକାରୀମାନେ କେହି ପହଞ୍ଚିନଥିଲେ। ଫଳରେ ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇଥିବା ପରିବାରଗୁଡ଼ିକର ଆକୁଳ ନିବେଦନ ଶୁଣିବାକୁ କେହି ନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କୁ ପର ଘରର ଆଶ୍ରୟ ନେବାକୁ ପଡ଼ିଛି। ଏଣେ, ଶୀତ ରାତିରେ ପିଲା ଛୁଆଙ୍କୁ ନେଇ ଅନ୍ୟର ଘରେ ଏତେ ସଂଖ୍ୟକ ଲୋକ କେମିତି ଦିନ କାଟିବେ ତାହାକୁ ନେଇ ଭାଳେଣି ପଡ଼ିିଛି। ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ବୋଲି କ୍ଷତିଗ୍ରସ୍ଥ ପରିବାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର