କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ବିତ୍ପାତ:ମାଟିରେ ମିଶିଲା ୭ ହଜାରରୁ ଅଧିକ ଘର

ଜିଲ୍ଲାପାଳ, ଏସ୍‌ପିଙ୍କ କ୍ୱାର୍ଟର ପାଣି ଘେରରେ, ବିଦ୍ୟୁତ ସେବା ବ୍ୟାହତକାନ୍ଥ ଧସି ଜଣେ ମୃତ

ବର୍ଷା ରେକର୍ଡ଼
କେନ୍ଦ୍ରାପଡ଼ାରେ ୩୪୦, ଡେରାବିଶରେ ୨୯୮, ମାର୍ଶାଘାଇରେ ୩୩୬, ମହାକାଳପଡ଼ାରେ ୩୨୦, ଗରଦପୁରରେ ୨୪୦, ପଟ୍ଟାମୁଣ୍ଡାଇରେ ୩୧୧, ଆଳିରେ ୨୨୬, ରାଜନଗରରେ ୧୯୦ ଓ ରାଜକନିକାରେ ୧୮୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜିଲ୍ଲାରେ ହାରାହାରି ୨୭୧.୭୬ ମିମି ବର୍ଷା ରେକର୍ଡ଼ କରାଯାଇଛି ବୋଲି ଜିଳ୍ଲା ଜରୁରିକାଳୀନ ଅଧିକାରୀ ନମିତା ବାରକି ସୂଚନା ଦେଇଛନ୍ତି। ଏହି ବର୍ଷା ପରିମାଣ ୧୯୯୯ ମହାବାତ୍ୟା ବର୍ଷା ରେକର୍ଡ ପାଖାପାଖି ରହିଛି।
ବନ୍ୟା ସ୍ଥିତି ଅନୁଧ୍ୟନ କଲେ ଯନ୍ତ୍ରୀ
ଜିଳ୍ଲାର ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ସ୍ଥିତି ଅନୁଧ୍ୟାନ ପାଇଁ କଟକରୁ ଏଡିବି ଅଧୀକ୍ଷଣ ଯନ୍ତ୍ରୀ ଦିପ୍ତୀ ରଂଜନ ପଣ୍ଡା, ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ଅନ୍ୟମାନେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିଥିଲେ। ବ୍ରାହ୍ମଣୀର ଅଳବା ନିକଟରେ ବିପଦ ସଂକେତ ୧୦.୬୬ ମିଟର ଥିବା ବେଳେ ସେଠାରେ ବନ୍ୟା ଜଳ ୧୦.୪୪, ଇନ୍ଦୁପର ନିକଯରେ ୮.୨୩ ମିଟର ସ୍ଥଳେ ଜଳ ପତ୍ତନ ୭.୦୬ ମିଟରରେ ପ୍ରବାହିତ ହେଉଛି। ଲୁଣା, ଚିତ୍ରୋତ୍ପଳା, ମହାନଦୀରେ ବନ୍ୟାଜଳ ସ୍ତର ବଢ଼ୁଛି। ବିଭିନ୍ନ ବିପଦପୂର୍ଣ୍ଣ ଥିବା ନଦୀବନ୍ଧକୁ ସେମାନେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା, ୬|୯(ଇମିସ): ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନରେ ଜିଲ୍ଲାରେ ହାରାହାରି ୨୭୧.୭୬ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୨ଶହରୁ ଅଧିକ ଗାଁ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପାଣି ଘେରରେ ରହିଛି। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ଜଣେ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ପୌରାଂଚଳର ୨୧ଟି ଓ୍ଵାର୍ଡ଼ରୁ ୧୮ଟି ଓ୍ଵାର୍ଡର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବିଭିନ୍ନ ଖାଲୁଆ ସ୍ଥାନରୁ ଜଳ ନିଷ୍କାସନ ପାଇଁ କାମରେ ଲଗା ଯାଇଥିବା ମୋଟର ପମ୍ପ୍‌ ଯଥେଷ୍ଟ ହେଉନାହିଁ। ଜିଲ୍ଲାପାଳ, ପୌର ପ୍ରଶାସକ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ପାଣି ଘେରରେ ରହିଛି। ଜିଲ୍ଲାପାଳଙ୍କ ବାସଭବନ ପଛ ପାଖର ୩୦ ଫୁଟ ପାଚେରୀ ଭୁଶୁଡ଼ି ପଡ଼ିଛି। ପାଣିରେ ଫସି ରହିଥିବା ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଓ୍ଵାର ବୋଟ୍‌ ସାହାଯ୍ୟରେ ଉଦ୍ଧାର କରିଛନ୍ତି। ବଉଳ ବିହାରରେ ରହୁଥିବା ଅତିରିକ୍ତ ଜିଳ୍ଲା ଦୌରା ଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ ପାଣି ଘେରରେ ରହିଥିବା ବେଳେ ଫାୟାର ଅଫିସର୍‌ ବୀରଭଦ୍ର ଟୁଡୁ ଘଟଣାସ୍ଥଳରେ ପାଓ୍ଵାର ବୋଟ ନେଇ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଅଞ୍ଚଳର ହଜାର ହଜାର ହେକ୍ଟର ଜମି ପାଣିରେ ବୁଡ଼ି ରହିଛି। ତହସିଲ ଅଫିସ୍‌ର ରେକର୍ଡ ରୁମ୍‌ ପାଣିରେ ବୁଡ଼ି ରହିଛି। କେନ୍ଦ୍ରାପଡ଼ା ଗାର୍ଲସ ସ୍କୁଲ, ସିଟି ସ୍କୁଲ ପାଣି ଘେରରେ ରହିଛି। ପଟ୍ଟାମୁଣ୍ଡାଇ ତେଲଙ୍ଗାବସନ୍ତ ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଉତ୍ତମ ପରିଡ଼ା(୫୩)ଙ୍କ ମୃତ୍ୟୁ ଘଟିଛି। ଗରାପୁରରେ ଜଣେ ମହିଳା ଓ କେନ୍ଦ୍ରାପଡ଼ା ବ୍ଲକ୍‌ କଳପଡ଼ା ପଞ୍ଚାୟତରେ ମାଟି କାନ୍ଥ ପଡ଼ି ମାଇଁ ବୈଦେହୀ ରାଉଳ(୩୫) ଓ ଭଣଜା (୮)ସୁବାସ ରାଉଳ ଗୁରୁତର ହୋଇଛନ୍ତି।
ଜିଲ୍ଲାପାଳ ଦାଶରଥୀ ଶତପଥୀ ଦେଇଥିବା ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ପ୍ରାୟ ୭ ହଜାର ଘର ଆଂଶିକ ଅଥବା ସଂପୂର୍ଣ୍ଣ ଭାଙ୍ଗ ଯାଇଛି। ସମସ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ସର୍ଭେ କରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍‌ ଖୋଲା ଯାଇଛି। ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାକୁ ଉପଜିଲ୍ଲାପାଳ ସଂଜୟ ମିଶ୍ର, ମହାକାଳପଡ଼ାକୁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଓ ଅନ୍ୟ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ୍‌ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନ୍‌ ଓ ଆବଶ୍ୟକ ସ୍ଥଳେ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ମୋଟର ପମ୍ପ୍‌ ଲଗାଇ ଜଳ ନିଷ୍କାସନ କରାଯାଉଛି। କେନ୍ଦ୍ରାପଡ଼ା ସହରରେ ୧୬ଟି, ଡେରାବିଶରେ ୯ଟି ଏବଂ ପୂରା ଜିଲ୍ଲାରେ ୩୦ରୁ ଅଧିକ ମୋଟର ପମ୍ପ୍‌ ସହାୟତାରେ ଜଳ ନିଷ୍କାସନ ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳ ଶ୍ରୀ ଶତପଥୀ, ଅତିରିକ୍ତ ଜିଳ୍ଲାପାଳ ଶ୍ରୀ ବେହେରା, ଉପଜିଲ୍ଲାପାଳ ଶ୍ରୀ ମିଶ୍ର, ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ଅନ୍ୟ ଅଧିକାରୀ ବିଭିନ୍ନ ଓ୍ଵାର୍ଡ଼ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର