ନାବାଳିକା ଗଣଦୁଷ୍କର୍ମ ଘଟଣା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ କନ୍ତିଆ ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁନି ଭୋଳକୁ ଆଜି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ ଏହି ଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟେ ଆଉ ୨ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି।

୨୦୧୩ ମସିହା ଏପ୍ରିଲ୍‌ ମାସରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ଏହି ଗ୍ରାମର ନିକିତା (ଛଦ୍ମନାମ) ବାସନ୍ତୀ ଠାକୁରାଣୀ ଛାମୁଯାତ୍ରା ଦେଖି ରାତି ସାଢ଼େ ୯ଟା ସମୟରେ ଘରକୁ ଫେରୁଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଶ୍ୟାମସୁନ୍ଦରପୁର ଗ୍ରାମର ମଦନି ଭୋଳଙ୍କ ପୁଅ ବାବୁନି ଭୋଳ ଏବଂ ଅନ୍ୟ ଦୁଇ ନାବାଳକ ତାଙ୍କୁ ବିଲ ଭିତରକୁ ଟେକି ନେଇ ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ଏତଲାକୁ ଭିତ୍ତିକରି ପୁଲିସ୍‌ ବାବୁନି ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିଆର୍‌ କେସନ୍‌ ନଂ ୪୯୦/୧୩ରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬(ଖ)(!)/୩୭୬(ଘ), ୬ ପୋକ୍‌ସ ଆଇନ୍‌ ଅନୁସାରେ ମାମଲା ରୁଜୁ ହୋଇଥିଲା। ପରେ ଜୁଭେନାଇଲ୍‌ ଅଦାଲତ ୨ ନାବାଳକଙ୍କୁ ଦୋଷମୁକ୍ତ କରିଥିଲେ। ତେବେ, ଜେଲ୍‌ରେ ଥିବାବେଳେ ବାବୁନିର ବିଚାର ଚାଲିଥିଲା। ଆଜି ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଘଟଣାକୁ ଜଘନ୍ୟ ଓ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ। ସରକାରଙ୍କ ପକ୍ଷରୁ ସଂଜୟ କୁମାର ଜେନା ଓ ମୁଦାଲାଙ୍କ ପକ୍ଷରୁ ଆଡଭୋକେଟ୍‌ ଅକ୍ଷୟ ମହାନ୍ତି ଓ ଦୁର୍ଯ୍ୟୋଧନ ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର