କାଳ ସାଜିଛିି କିଡ୍‌ନି ରୋଗ:ବର୍ଷକରେ ଗଲାଣି ୩ ଜୀବନ, ଅନେକ ଆକ୍ରାନ୍ତ

ବର୍ଷକରେ ଗଲାଣି ୩ ଜୀବନ, ଅନେକ ଆକ୍ରାନ୍ତ

ଡେରାବିଶ: ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତବାସୀଙ୍କୁ କିଡନି ରୋଗ ଚିନ୍ତାରେ ପକାଇ ଦେଇଛି। ବର୍ଷକ ଭିତରେ ଏହି ରୋଗ ୩ଟି ଜୀବନ ନେଇ ସାରିଛି। ଏବେ କି ଏକାଧିକ ଏହି ରୋଗରେ ପଡ଼ି କଷ୍ଟ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ଦିଗରେ ଆବଶ୍ୟକ ଅନୁସନ୍ଧାନ କରାଯାଇ ନ ଥିବା ଲୋକେ ଅଭିଯାଗ ଉଠାଇଛନ୍ତି।
ଏହି ପଞ୍ଚାୟତ ଅଧୀନ ଦିଆପଡ଼ା ଗ୍ରାମର ଗରିବ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା କୁଳମଣି କାଣ୍ଡିଙ୍କୁ କିଡନି ରୋଗ ଆକ୍ରାନ୍ତ କରିଥିଲା। ଅର୍ଥାଭାବରୁ ସେ ଏହି ରୋଗର ଠିକ ଭାବେ ଚିକିତ୍ସା କରି ପାରି ନ ଥିଲେ। ୨୦୧୭ ଅକ୍ଟୋବର ୨୯ ତାରିଖରେ ମାତ୍ର ୩୭ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସହାୟ ହୋଇପଡିଥିବା କୁଳମଣିଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଓ ୨ମାସର ନବଜାତକ ଝିଅର ପ୍ରତିପୋଷଣ ଦାୟିତ୍ୱ ବୃଦ୍ଧ ପିତାମାତା ଉଠାଇଥିଲେ। ପୁଅ ମୃତ୍ୟୁ ଦୁଃଖରେ ଭାଙ୍ଗି ପଡ଼ିଥିବା ମା’ ସେବତୀ କାଣ୍ଡି(୭୨) ଡିସେମ୍ବର ୨ତାରିଖରେ ମୃତ୍ୟୁବରଣ କରିଥିଲେ। ଏହାର ମାତ୍ର ୨୨ଦିନ ପରେ ପିତା ମନ୍ଦରଙ୍କ ବି ଆରପାରିକୁ ଚାଲିଯାଇଥିଲେ। ଏହି ବର୍ଷ ଜାନୁଆରି ୨୪ ତାରିଖରେ କିଡନି ରୋଗ ନରୁଆ ଗ୍ରାମର ଭୁବନ ପଣ୍ଡା(୫୯)ଙ୍କ ଜୀବନ ନେଇଥିଲା। ଭୁବନେଶ୍ୱରସ୍ଥିତ ରେଳବାଇ କାଯ୍ୟର୍ାଳୟରେ ଚାକିରି କରୁଥିବା ଭୁବନଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି। ଗତ ଫେବୃଆରି ୭ତାରିଖରେ ରଥ ପଡ଼ିଆ ଗ୍ରାମର ନାରାୟଣ ରାଉତ କିଡନି ରୋଗରେ ପ୍ରାଣ ହରାଇଥିଲେ। ସାଇକଲ ମରାମତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ନାରାୟଣ ଏହି ଦୂରାରୋଗର ଚିକିତ୍ସା କରାଇ ପାରି ନ ଥିଲେ। ଅର୍ଥାଭାବ ତାଙ୍କ ପାଇଁ କାଳ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପୁଅ ପାଠପଢା ଛାଡ଼ି ଏବେ ପରିବା ବେପାର କରୁଥିବା ଦେଖିବାକୁ ମିଳୁଛି।
ସେହିପରି ଗୋଲରା ହାଟ ମୁସଲିମ ସାହିର ମନସୁର ଅଲ୍ଲୀଙ୍କ ପତ୍ନୀ ଫିରୋଜା ବିବି ଏହି ରୋଗରେ ପୀଡିତ ହୋଇ ବର୍ଷାଧିକ କାଳ କଷ୍ଟ ପାଉଥିବା ଦେଖାଯାଇଛି। ମୂଲମଜୁରି ଲାଗି ପରିବାର ପ୍ରତପୋଷଣ କରୁଥିବା ମନସୁର ଏବେ ପତ୍ନୀଙ୍କ ଚିକିତ୍ସା ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରତି ସପ୍ତାହରେ ହଜାରହଜାର ଟଙ୍କା ଦରକାର ପଡ଼ୁଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ମନସୁର ପ୍ରଶ୍ନ କରିଛନ୍ତି। ସେହିପରି ଉକ୍ତ ପଞ୍ଚାୟତ ଅଧୀନ ଦୁମୁକା ଗ୍ରାମର ରଂଜନ କୁମାର ଦାସ(୩୬) ଦୂରାରୋଗରେ ପୀଡ଼ିତ ହୋଇ ହନ୍ତସନ୍ତ ହେଉଛନ୍ତି। ରାଜମିସ୍ତ୍ରୀ ଭାବେ କାମ କରି ପତ୍ନୀ ଓ ୩ ଝିଅଙ୍କୁ ପ୍ରତିପୋଷଣ କରୁଥିବା ରଂଜନଙ୍କ ଚିକିତ୍ସା ପାଇଁ ମଧ୍ୟ ଅର୍ଥାଭାବ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ସ୍ୱାମୀଙ୍କ ଚିିକିତ୍ସା କେମିତି ହେବ ସେହି ଚିନ୍ତାରେ ଦିନ କଟୁଛି ବୋଲି ପତ୍ନୀ ନିରୂପମା କୋହଭରା କଣ୍ଠରେ କହିଛନ୍ତି। ଗୋଟିଏ ପଞ୍ଚାୟତରେ ବର୍ଷକ ମଧ୍ୟରେ କିଡନି ରୋଗ ୩ ଜଣଙ୍କ ଜୀବନ ନେବା ଓ ଏକାଧିକ ଆକ୍ରାନ୍ତ ହେବା ଘଟଣା ଲୋକଙ୍କୁ ଆତଙ୍କିତ କରିଦେଇଛି। ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ମଧ୍ୟ ଏ ଦିଗରେ କୌଣସି ଅନୁସନ୍ଧାନ କରୁ ନ ଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ତପନ କୁମାର ସାହୁ କହିଛନ୍ତି ଯେ, କିଡନି ରୋଗ ହେବାର ବିଭିନ୍ନ କାରଣ ରହିଛି। ହେଳେ ଦୂଷିତ ପାଣି ଏକ ପ୍ରମୁଖ କାରଣ । ତେବେ କିଡନି ରୋଗରେ ଉକ୍ତ ପଞ୍ଚାୟତରେ ୩ ଜଣ ପ୍ରାଣ ହରାଇବା ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି। ତେବେ ସେ ଅଞ୍ଚଳକୁ ସ୍ୱାସ୍ଥ୍ୟ ଟିମ୍‌ ପଠାଇ ଏହାର ନିରାକରଣ ପାଇଁ ପଦକ୍ଷେପ ନେବେ ବୋଲି ଡାକ୍ତର ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର