ମଧ୍ୟାହ୍ନଭୋଜନ ଟଙ୍କାରେ ଶ୍ରେଣୀଗୃହ ମରାମତି:ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ପ୍ରତିବାଦରେ ସ୍କୁଲ୍‌ରେ ତାଲା

ପଟ୍ଟାମୁଣ୍ଡାଇ: ମଧ୍ୟାହ୍ନଭୋଜନ ଟଙ୍କା ସ୍କୁଲ ଗୃହ ମରାମତିରେ ଖର୍ଚ୍ଚ କରି ଫସିଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ନୋଡାଲ ଉପ୍ରାବିଦ୍ୟାଳୟର ପ୍ରଧାନଶିକ୍ଷକ। ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହି ଘଟଣାକୁ ନେଇ ବିଦ୍ୟାଳୟରେ ତୁମୁଳକାଣ୍ଡ ଘଟିଛି। ନିଲମ୍ବନ ଆଦେଶ ପ୍ରତ୍ୟାହର ଦାବି କରି ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ, କଖାରୁଣୀ ନୋଡାଲ ଉପ୍ରାବିଦ୍ୟାଳୟରେ ପାଚିକା ଓ ସହାୟିକାଙ୍କ ମଧ୍ୟରେ ବିବାଦ ଯୋଗୁ ଜାନୁଆରି ମାସରୁ ମାର୍ଚ୍ଚ ମାସ ପର୍କ୍ଷ୍ୟନ୍ତ ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ସ୍କୁଲର ନୂତନ ପରିଚାଳନା କମିଟି ଗଠନ ହେବା ପରେ ଏହି ବିବାଦର ସମାଧାନ କରାଯାଇ ମଧ୍ୟାହ୍ନଭୋଜନ ପୁଣି ଆରମ୍ଭ କରାଯାଇଥିଲା। ବନ୍ଦ ରହିଥିବା ସମୟର ମଧ୍ୟାହ୍ନଭୋଜନ ବାବଦକୁ ମିଳିଥିବା ୬୨ ହଜାର ଟଙ୍କା ସ୍କୁଲ ଆକାଉଣ୍ଟରେ ଡିପୋଜିଟ ରଖାଯାଇଥିଲା। ପରିଚାଳନା କମିଟି ଓ ଅଭିଭାବକ ସଂଘ ବୈଠକ ଡକାଯାଇ ଏହି ଅର୍ଥକୁ ସ୍କୁଲ ଶ୍ରେଣୀ ଗୃହ ଓ ଆନୁଷଙ୍ଗିକ ସରଞ୍ଜାମ ପାଇଁ ଖର୍ଚ୍ଚ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଫଳରେ ପ୍ରଧାନଶିକ୍ଷକ ଏହି ଟଙ୍କା ଉଠାଇ ପରିଚାଳନା କମିଟି ସହଯୋଗରେ ପାଣି ଗଳୁଥିବା ଶ୍ରେଣୀଗୃହର ମରାମତି କରିବା ସହ କେତୋଟି ଫ୍ୟାନ ଲଗାଇଥିଲେ।

ତେବେ ମଧ୍ୟାହ୍ନଭୋଜନ ଟଙ୍କାକୁ ପ୍ରଧାନଶିକ୍ଷକ ଆତ୍ମସାତ କରିଥିବା ନେଇ ଏକ ବେନାମୀ ଅଭିଯୋଗ ଗଣଶିକ୍ଷା ବିଭାଗର ସଚିବଙ୍କ ପାଖରେ ପହଞ୍ଚିଥିଲା। ରାଜ୍ୟ ମଧ୍ୟାହ୍ନଭୋଜନ ନୋଡାଲ୍‌ ଅଫିସର ଗଙ୍ଗାଧର ସାହୁଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ଶ୍ରୀ ସାହୁ ଘଟଣାର ତଦନ୍ତ କରି କାହିଁକି ଏହି ଟଙ୍କା ଉନ୍ନୟନ ପାଇଁ ଖର୍ଚ୍ଚ କରିଛ ବୋଲି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କୁ କୈଫିୟତ ମାଗିଥିଲେ। ତଦନ୍ତ କରୁଥିବା ନୋଡାଲ ଅଫିସରଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସମସ୍ତ କାଗଜପତ୍ର ଯୋଗାଇ ଦିଆଯାଇଥିଲା। ତଦନ୍ତ ରିପୋର୍ଟ ପାଇବା ପରେ ସଚିବ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ପଟ୍ଟାମୁଣ୍ଡାଇ ବିଇଓ ହିମାଂଶୁ ଭୁଷଣ ଓଝଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ବିଇଓ ଶ୍ରୀ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି।
ଆଜି ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ଖବର ଜଣାପଡିବା ପରେ କଖାରୁଣୀ ଗ୍ରାମରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ଗ୍ରାମବାସୀ, ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ପଟ୍ଟାମୁଣ୍ଡାଇ ବିଇଓ ହିମାଂଶୁ ଭୁଷଣ ଓଝା, ବିଆରସିସି ଗୋବିନ୍ଦ ପରିଡ଼ା, ଏବିଇଓ ପ୍ରଦୀପ ସାମନ୍ତରାୟ ଓ ଚନ୍ଦ୍ରଭାନୁ ମଲ୍ଲିକ ପ୍ରମୁଖ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଥାନା ଆଇଆଇସି ପ୍ରମୋଦ ମଳ୍ଳିକଙ୍କ ହସ୍ତକ୍ଷେପ ପରେ ଆଲୋଚନା ହୋଇଥିଲା। ପ୍ରଧାନଶିକ୍ଷକଙ୍କ ଉପରୁ ନିଲମ୍ବନ ଆଦେଶ ନ ଉଠିବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ଫଳରେ ସେମାନେ ଫେରି ଆସିଥିଲେ।
ପଟ୍ଟାମୁଣ୍ଡାଇ ବିଇଓ ଶ୍ରୀ ଓଝା କହିଛନ୍ତି ଯେ, ଏହି ଘଟଣାରେ ସେ କିଛି କରିପାରିବେ ନାହିଁ। ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ତରରେ ଏହାର ନିଷ୍ପତ୍ତି କରାଯିବ। ସ୍କୁଲ ପରିଚାଳନା କମିଟି ସଭାପତି କଳାକାର ପ୍ରଧାନ କହିଛନ୍ତି ଯେ, ଏହି ମଧ୍ୟାହ୍ନଭୋଜନ ଟଙ୍କାକୁ ପାଣି ଗଳୁଥିବା ଶ୍ରେଣୀ ଗୃହରେ ଖର୍ଚ୍ଚ କରିବା ପାଇଁ ଅଭିଭାବକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଅଯଥା ପ୍ରଧାନଶିକ୍ଷକଙ୍କୁ ଦଣ୍ଡ ଦିଆଯାଇଛି। ଆଜିର ଆନ୍ଦୋଳନରେ ସ୍କୁଲ କମିଟିର ସଭ୍ୟ ପ୍ରକାଶ ପଣ୍ଡା, ଶ୍ରୀକାନ୍ତ ପରିଡା, ଅଭିମନ୍ୟୁ ମଳିକ, ସୁନିତା ଶତପଥୀ, ସନ୍ତୋଷ ଜେନା, ଅନ୍ନପୂର୍ଣର୍ା ରଥ, ମାନସୀ ରାଉତ, କୌଶଲ୍ୟା ବାରିକ, ଗ୍ରାମବାସୀ ସୁରେନ୍ଦ୍ର ମହାନ୍ତି, ସୁକାନ୍ତ ଦାସ, ସଂଜୟ ମଲ୍ଲିକ, ନରେଶ ଜେନା, କିର୍ତ୍ତୀଚନ୍ଦ୍ର ଜେନା, ପାରେଶ୍ୱର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଅଜୟ ସାମନ୍ତରାୟ, ଶ୍ରୀଧର ରାଉତ, ପବନ ପ୍ରଧାନ, ସୌରୀ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଉଦୟନାଥ ପ୍ରଧାନ ଓ ମାୟଧର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର