ଯୁବକଙ୍କୁ ଗୋଡ଼େଇ ହାଣିଲେ

ଡେରାବିଶ : ଗତକାଲି ବିଳମ୍ବିତ ରାତିରେ ଡେରାବିଶ ଅଂଚଳର ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ଯୁବକଙ୍କୁ ଗୋଲରାହାଟ ପଞ୍ଚାୟତ ଚଷାଖଣ୍ଡ(ସେଠୀସାହି) ଗ୍ରାମ ନିକଟ ୯ ନମ୍ବର କେନାଲ କଡ଼ରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତ ଯୁବକ ହେଉଛନ୍ତି ବାଲିଆ ପଞ୍ଚାୟତର ଦେଶପୁର ଗ୍ରାମର ସ୍ୱର୍ଗତ କହ୍ନେଇଙ୍କ ପୁତ୍ର ସୁବୋଧ ମହାନ୍ତି ଓରଫ୍‌ ବାବାଜୀ(୪୨)। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାବାଜୀ ଗତକାଲି ରାତି ପ୍ରାୟ ୭ଟା ଘରେ ପରିବା ଦେଇ ବଜାରକୁ ଯାଇଥିଲେ। ବଜାରରେ ସେ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଥିଲେ ବୋଲି ଭାଇ ସନିଆ ପ୍ରକାଶ କରିଛନ୍ତି। ମାତ୍ର ରାତିରେ ଆଉ ସେ ଘରକୁ ଫେରି ନଥିଲେ। ଆଜି ଭୋରୁ ଶୌଚ ପାଇଁ ଯାଇଥିବା ଚଷାଖଣ୍ଡ ଗ୍ରାମର କେତେକ ଲୋକ ୯ ନମ୍ବର କେନାଲ କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ମୃତ ଦେହ ପଡ଼ିଥିବା ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଶବ ନିକଟରେ ରୁଣ୍ଡ ହୋଇଯାଇଥିଲେ। ଖବର ପାଇ ଡେରାବିଶ ଥାନା ଅଧିକାରୀ ଉମାକାନ୍ତ ନାୟକ, ସବ ଇନିସ୍‌ପେକ୍ଟର ସୂଯ୍ୟର୍ନାରାୟଣ ଶତପଥୀ ଓ ଏଏସଆଇ ଭାଗବତ ମହାଳିଙ୍କ ନେତୃତ୍ୱରେ ପୁଲିସ ଦଳ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।

ବାବାଜୀଙ୍କ ପରିବାର ଲୋକେ ବି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଶବକୁ ଦେଖିବା ପରେ ତାହା ବାବାଜୀଙ୍କର ବୋଲି ଚିହ୍ନଟ କରିଥିଲେ। ବାବାଜୀଙ୍କ ସ୍ତ୍ରୀ ଜାୟତ୍ରୀ ତାଙ୍କ ସ୍ୱାମୀଙ୍କୁ କେହି ଧାରୁଆ ଅସ୍ତ୍ରରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡାରୁ ସ୍ମରଣିକା ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ସାଇଣ୍ଟିଫିକ୍‌ ଦଳ ଏବଂ କଟକରୁ ଡଗ୍‌ ସ୍କ୍ଵାଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ଡେରାବିଶ ପୁଲିସ ୧୩୯/୧୭ରେ ଏକ ହତ୍ୟା ମାମାଲା ରୁଜୁ କରି ତଦନ୍ତ ଜାରି ରଖିଛି।

ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ୁଛି ଦୁର୍ବୃତ୍ତମାନେ ବାବାଜୀଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଧାରୁଆ ଅସ୍ତ୍ରରେ ପଛରୁ ହାଣି ହତ୍ୟା କରିଛନ୍ତି। ତାଙ୍କ ପଛ ବେକରେ ୩ରୁ ଅଧିକ ଚୋଟ ବାଜିଛି। ରାସ୍ତାର କିଛି ଦୂର ପର୍ଯ୍ୟନ୍ତ ରକ୍ତ ଛିଟା ପଡ଼ିଛି। ସେ ଜୀବନ ବଞ୍ଚାଇବାକୁ ଦୌଡ଼ିବା ପରେ ହଣାଖାଇ ତଳେ ମୁହଁମାଡ଼ି ପଡ଼ିଯାଇଛନ୍ତି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ଡେରାବିଶ୍‌ ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ବାବାଜୀ ଜଣେ ଦିନମଜୁରିଆ। ସେ ବିଭିନ୍ନ ସ୍ଥାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ମୃତ୍ୟୁ ପରେ ତାଙ୍କ ପତ୍ନୀ ସମେତ ଦୁଇଟି ଛୋଟ ପିଲା ଅସହାୟ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର