ଯୁବକଙ୍କୁ ଉଲଗ୍ନ କରି ମାଡ଼ ଘଟଣାର ନୂଆ ମୋଡ଼:ନାବାଳିକାକୁ ଅପହରଣ, ଦୁଷ୍କର୍ମ ଅଭିଯୋଗ

ରାଜନଗର: ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରେମିକକୁ ଉଲଗ୍ନ କରି ମାଡ଼ ଘଟଣା ଭିନ୍ନ ମୋଡ଼ ନେଇଛି। ଏପଟେ ପ୍ରେମିକାର ମା’ ଆଜି ପୀଡ଼ିତ ଯୁବକଙ୍କ ନାଁରେ ତାଳଚୁଆ ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି। ସଂପୃକ୍ତ ଯୁବକ ତାଙ୍କ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଆହତ ଯୁବକ ଜଣଙ୍କ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେବା ପରେ ସେଠାରୁ ପୁଲିସ ତାଙ୍କୁ ଗିରଫ କରିବ ବୋଲି ଜଣାପଡିଛି।
ତାଳଚୁଆ ସାମୁଦ୍ରିକ ଥାନାରେ ଝିଅର ମା’ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୬ ତାରିଖ ଅପରାହ୍ନରେ ତାଙ୍କ ଝିଅ ଟ୍ୟୁସନ୍‌ ଯାଇଥିଲା। ଟିକାୟତନଗର ଛକରୁ ରଂଗଣୀ ପଞ୍ଚାୟତ ଭେକ୍ଟା ଗାଁର ସଦାନନ୍ଦ ଜେନାଙ୍କ ପୁଅ ରାଜୁ ଅନ୍ୟ ୩ଜଣ ଯୁବକଙ୍କ ସହିତ ମୁହଁରେ କପଡ଼ା ବାନ୍ଧି ତାକୁ ଟେକି ନେଇଥିଲେ। ଏକ ବୋଲେରୋ ଯୋଗେ ଭୁବନେଶ୍ୱର ନେଇ ସେଠାରେ ଝିଅକୁ ଦୁଷ୍କର୍ମ କରିଥିଲେ। ପୁଲିସ ଏ ନେଇ ମାମଲା(୪୫/୧୮) ରୁଜୁ କରିଛି। ରାଜୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୬ ତାରିଖ ଦିନ ରାତିରେ ୭/୮ଜଣ ଯୁବକ ରାଜୁ ସହିତ ତାର ପ୍ରେମିକାକୁ ଭୁବନେଶ୍ୱରରୁ ଧରି ଆଣି ତାଳଚୁଆରେ ପହଞ୍ଚିଥିଲେ। ତାଳଚୁଆ ପଞ୍ଚାୟତ କାର୍ଯ୍ୟାଳୟରେ ଯୁବକଙ୍କୁ ଅଟକ ରଖାଯାଇଥିଲା। ସେଠାରେ କଙ୍ଗାରୁ କୋର୍ଟ ବସି ଯୁବକଙ୍କୁ ୨ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। କଙ୍ଗାରୁ କୋର୍ଟରେ ସାମିଲ ଥିବା ସମସ୍ତ ସଦସ୍ୟ ଯୁବକଙ୍କୁ ମାଡ଼ ମାରିଥିବା ବେଳେ କାର୍ଯ୍ୟାଳୟ ମଧ୍ୟରେ ୩ଜଣ ଯୁବକ ରାଜୁକୁ ଉଲଗ୍ନ କରି ଲୁହା ରଡ୍‌ ଓ କେବୁଲ ତାରରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟର ଅବସ୍ଥାକୁ ଭିଡିଓ କରି ତାକୁ ଭାଇରାଲ କରିଦେଇଥିଲେ।

ସମ୍ବନ୍ଧିତ ଖବର