ରକ୍ତ ବି ଚିହ୍ନନି ରକ୍ତକୁ! : ପୁଅ ନେଲା ଜୀବନ

ରାଜନଗରରେ ମା’, ସମ୍ବଲପୁରରେ ବାପା ଟଳିପଡ଼ିଲେ

ରାଜନଗର : ହଜିଯାଉଛି ମାନବିକତା! ବାହାର ଲୋକଙ୍କ କଥା ଦୂରେଥାଉ, ନିଜ ରକ୍ତର ସମ୍ପର୍କୀୟ ବି ଛାଡ୍‌ ପାଉନାହାନ୍ତି। ଯଦି ଏହି ରକ୍ତ ସମ୍ପର୍କୀୟଙ୍କ ଭିତରେ ବାପାମା’ ହୋଇଥିବେ… ଘଟଣାଟି ଅଧିକ ଦୁର୍ଭାଗ୍ୟଜନକ ଏବଂ ଅତ୍ୟନ୍ତ ନିନ୍ଦନୀୟ!! ଆଜି ଏମିତି ଦୁଇଟି ଘଟଣା ଘଟିଛି, ଯେଉଁଠି ନିଜ ଜନ୍ମକଲା ସନ୍ତାନ ହାତରେ ବାପା, ମା’ଙ୍କୁ ଜୀବନ ହରାଇବାକୁ ପଡ଼ିଛି।

ଏହି ଦୁଇଟି ଘଟଣା ମଧ୍ୟରୁ ଗୋଟିଏ ଘଟଣା କେନ୍ଦ୍ରାପଡ଼ାର ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗାଁରେ ଘଟିଛି। ଏହି ଗାଁର ଶଶିକାନ୍ତ ବିଶ୍ୱାଳ(୩୫) ଆଜି ଗଞ୍ଜେଇ ଟାଣି ଦିନ ଗୋଟାଏ ବେଳେ ଘରକୁ ଆସି ବିଧବା ମା’ ଶ୍ରୀମତୀ (୫୨)ଙ୍କୁ ଟଙ୍କା ମାଗିଥିଲେ। ମା’ ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ନିକଟରେ ପଡ଼ିଥିବା ଏକ କାଠ ଫାଳିଆରେ ମା’ଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆ ତାଙ୍କ ବାମ ପଟ କାନମୂଳରେ ବାଜିଥିଲା। ଘର ଭିତରେ ପଡ଼ି ମା’ ଯନ୍ତ୍ରଣାରେ ଦୀର୍ଘ ୩ ଘଣ୍ଟା ଧରି ଛଟପଟ ହୋଇଥିଲେ ମଧ୍ୟ ଶଶିକାନ୍ତ ତାଙ୍କୁ ମେଡ଼ିକାଲ ନେଇ ନ ଥିଲେ। ପଡ଼ିଶା ଘର ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ମା’ ଆଖି ବୁଜିସାରିଥିଲେ । ଗ୍ରାମବାସୀ ପୁଅକୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ। ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ରକ୍ତଲଗା କାଠ ଫାଳିଆ ଜବତ କରିବା ସହିତ ଶଶିକାନ୍ତଙ୍କୁ ଗିରଫ କରିଛି।

ଅନ୍ୟ ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଗଣ୍ଡପଡ଼ା ଠାରେ। ଘରୋଇ କଳିରୁ ବୁଧବାର ସକାଳେ ହତ୍ୟାକାଣ୍ଡ ଘଟିଛି। ପୁଅର ଛୁରା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି। ଘରେ ସୀତାରାମ ମହାକୁଡ଼ (୬୦), ପତ୍ନୀ, ପୁଅ ସଞ୍ଜୀବ ମହାକୁଡ଼ (୩୩) ଓ ବୋହୂ ରହୁଥିବା ବେଳେ ସୀତାରାମ ଗ୍ରାମରକ୍ଷୀ ଥିଲେ। ତାଙ୍କ ପୁଅ ସଞ୍ଜୀବ ଡ୍ରାଇଭର ଭାବରେ କାମ କରୁଥିଲା। ବୁଧବାର ସୀତାରାମଙ୍କ ସ୍ତ୍ରୀ ନିଜ ଝିଅ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣରୁ ସୀତାରାମ ଏବଂ ତାଙ୍କ ପୁଅ ସଞ୍ଜୀବ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ସଞ୍ଜୀବ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରି ଯୋଗେ ବାପା ସୀତାରାମଙ୍କୁ ଆକ୍ରମଣ କରିଥିଲା। ଫଳରେ ସୀତାରାମଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଠେଲକୋଲୋଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲା। ପୁଲିସ କେସ ନଂ ୬୫/୧୮ ଆଇପିସି ୩୦୨ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର