ଯୌତୁକ ପାଇଁ ନବବଧୂକୁ ପୋଡ଼ି ମାରିଦେଲେ!

କେନ୍ଦ୍ରାପଡ଼ା: ଅଧିକ ଯୌତୁକ ଦାବିରେ ଶାଶୁ ଘର ଲୋକେ ଜଣେ ନବବଧୂଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ବାପଘର ଲୋକେ ଏ ନେଇ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି ଯେ, କୋରୋ ବସପୁର ନିକଟ ତନାର ଗାଁର ସୁଦର୍ଶନ ମହାରଣାଙ୍କ ବଡ଼ଝିଅ ଲକ୍ଷ୍ମୀପ୍ରିୟାଙ୍କ ସହ ମାତ୍ର ୫/୬ କିଲୋମିଟର ଦୂର ଜରିଆବାଡ଼ ଜରିସାହିର ବିଶ୍ୱନାଥ ମହାରଣାଙ୍କ ବଡ଼ ପୁଅ କାଳିନ୍ଦୀଙ୍କ ସହ ବିବାହ ହୋଇଥିଲା । ବିବାହ ବେଳେ ଲକ୍ଷେ ଟଙ୍କା ବାଟଖର୍ଚ୍ଚ ଓ ସାଧ୍ୟମତେ ସୁନା ଅଳଙ୍କାର ଆଦି ଦିଆଯାଇଥିଲା। ଚତୁର୍ଥୀ ପରେ ପରେ ଲକ୍ଷ୍ମୀପ୍ରିୟାଙ୍କ ଉପରେ ଶାଶୁ ଘର ଲୋକ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ଲକ୍ଷ୍ମୀପ୍ରିୟା ଫୋନ୍‌ରେ ବାପା ସୁଦର୍ଶନଙ୍କୁ ଏହା ଜଣାଇଥିଲେ। ସୁଦର୍ଶନ ମଧ୍ୟ କିଛି ଦିନ ତଳେ ଶାଶୁଘରେ ପହଞ୍ଚି ଆଉ କିଛି ଟଙ୍କା ଯୋଗାଡ଼ କରି ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ଆସିଥିଲେ । ହେଲେ, ଗତ ୨୧ ତାରିଖ ରାତି ପ୍ରାୟ ୯ଟାରେ ଲକ୍ଷ୍ମୀପ୍ରିୟା କିରାସିନି ଢ଼ାଳି ଦେହରେ ନିଆଁ ଲଗାଇ ଦେଇଥିବା ନେଇ ଫୋନ୍‌ ଆସିଥିଲା। ତେବେ ଝିଅ ପାଖରେ ପହଞ୍ଚିବା ପୂର୍ବରୁ ସେ ଆଖି ବୁଜି ଦେଇଥିବା ଖବର ମିଳିଥିଲା। ଏ ନେଇ ଗତକାଲି ସୁଦର୍ଶନ ଚଉଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ପଞ୍ଚାନନ ମିଶ୍ର ମାମଲା(୨୮୨/୧୮)ରୁଜୁ କରି ତଦନ୍ତ ଚଳାଇଛନ୍ତି। ସ୍ୱାମୀ କାଳନ୍ଦୀ ବାଙ୍ଗଲୋର ଚାଲି ଯାଇଥିବାରୁ ତାଙ୍କୁ ଏଠାକୁ ଡକା ଯାଇଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର