ବୈଜୟନ୍ତଙ୍କ ବିରୋଧରେ ଥାନାରେ ରୁଜୁ ହେଲା ମାମଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍‌ ଥାନା ପୁଲିସ ଆଜି ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ଦଫା ୪୧୯, ୪୨୦ ଓ ଜନପ୍ରତିନିଧି ଆଇନର ୧୨୫(କ)ଅନୁଯାୟୀ ଏହି ମାମଲା ( ନଂ ୬୭/୧୮)ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ପୂର୍ବରୁ ସାଂସଦଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା ବିଚାରାଧୀନ ଥିବା ବେଳେ ଗତ ବୁଧବାର ଦିନ ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମର ଦିଲୀପ କୁମାର ଦାସ ୨୬୦/୨୦୧୮ରେ ୧ସି.ସି.(କମ୍ପ୍ଲେନ କେସ)ଜନ ପ୍ରତିନିଧି ଆଇନର ୧୨୫(କ), ଆଇପିସି ଦଫା ୪୧୫, ୪୧୬, ୪୧୭, ୪୧୮, ୪୧୯, ୪୨୦ ଧାରାରେ ଆଉ ଏକ ମାମଲା ଦାଏର କରିଥିଲେ । ଏହାର ବିଚାର କରି ଏସ୍‌ଡିଜେଏମ ନିହାର ରଞ୍ଜନ ସାହୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଜୁଲାଇ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଟାଉନ ଥାନା ପୁଲିସକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ଦାସ ଅଭିଯୋଗରେ ଦର୍ଶାଇଥିଲେ ଯେ, ଶ୍ରୀ ପଣ୍ଡା ୨୦୧୪ଲୋକସଭା ନିର୍ବାଚନରେ ସାଂସଦ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ମନୋନୟନପତ୍ର ଦାଖଲ ବେଳେ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ଏକା ସମୟରେ ସାଂସଦ ଓ ଇମ୍ଫା କମ୍ପାନିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହିତ ସେହି କମ୍ପାନିରୁ ଦରମା ନେଉଥିବା ସମ୍ପର୍କରେ ସତ୍ୟପାଠରେ କୌଣସି ତଥ୍ୟ ଉଲ୍ଲେଖ ନ ଥିଲା ବୋଲି ସେ ଦର୍ଶାଇଥିଲେ। ସତ୍ୟପାଠରେ ସାଂସଦ ନିଜକୁ ସମାଜସେବୀ ଭାବେ ଦର୍ଶାଇଥିଲେ। ଏପଟେ ଇମ୍ଫା କମ୍ପାନିର ଉପସଭାପତି ପଦରେ ରହି କୋଟିକୋଟି ଟଙ୍କାର ଦରମା ନେଇଥିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଥିଲା। ଏଣୁ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଏ ସଂପର୍କରେ ଟାଉନ୍‌ ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଛି। ଏ ସଂପର୍କରେ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର