ଗାଧୁଆଘରେ ପଡ଼ି ଓଡ଼ିଆ ଯବାନ ମୃତ

ପତ୍ନୀଙ୍କୁ ଡ଼ାକିଥିଲେ ଚିକିତ୍ସା ପାଇଁ, ନିଜେ ଆଖି ବୁଜିଲେ

ଆଳି: କୋଲକାତାରେ ଜଣେ ଓଡ଼ିଆ ଯବାନ୍‌ ଗାଧୁଆ ଘରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତ ଯବାନ୍‌ ହେଉଛନ୍ତି ଗୋଲେଖ ସ୍ୱାଇଁ (୪୫)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପାଇକସାହି ଗ୍ରାମରେ। ସେ ସେଠାରେ ଆର୍ମି ସର୍ଭିସ କୋର ୯୪୫ ଟିପିଟି କମ୍ପାନୀରେ କାର୍ଯ୍ୟରତ ଥିଲେ।
ଆଳି ଥାନା ପାଇକସାହି ଗ୍ରାମର ସ୍ୱର୍ଗତ ଗଙ୍ଗାଧର ସ୍ୱାଇଁ ଓ ସୁମାଦେବୀଙ୍କ ମଝିଆ ପୁଅ ଗୋଲେଖ ୧୯୯୪ରେ ଆର୍ମିରେ ଯୋଗ ଦେଇଥିଲେ। କିଛି ଦିନ ତଳେ ଗୋଲେଖ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତ ସୋମବାର ରାତିରେ ଗାଧୁଆ ଘରକୁ ଯାଇଥିବା ବେଳେ କୌଣସି କାରଣରୁ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ କୋଲକତା ଅଲୀପୁର କମାଣ୍ଡାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଏକ ସ୍ୱତନ୍ତ୍ର ଗାଡ଼ିରେ ଆର୍ମି ହାବିଲଦାର ସଂଜୟ ମୁଦୁଲି ଓ ସିପାହୀ ଏମ.ସେକଙ୍କ ହେପାଜତରେ ତାଙ୍କ ମୃତଦେହ ଶାସନ ଛକରେ ପହଞ୍ଚିଥିଲା। ସେଠାରୁ ଶୋଭାଯାତ୍ରାରେ ମରଶରୀରକୁ ପାଇକସାହି ନିଆଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସ୍ୱର୍ଗତ ଗୋଲେଖଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ପୁଅ ଜ୍ଞାନେନ୍ଦ୍ର ଯୁକ୍ତ ଦୁଇରେ ପଢୁଥିବା ବେଳେ ସାନପୁଅ ମନୀଷ ପଞ୍ଚମ ଶ୍ରେଣୀରେ ପଢୁଛି।
ଗୋଲେଖଙ୍କ ପତ୍ନୀ ମମତାଙ୍କ ପେଟ ରୋଗ ସମସ୍ୟା ରହିଥିଲା। କୋଲକତାରେ ଚିକିତ୍ସା ପାଇଁ ଗୋଲେଖ ତାଙ୍କୁ ସେଠାକୁ ଡକାଇ ନେଇଥିଲେ। ଗତ ୩୧ ତାରିଖରେ ମମତା କୋଲକାତାରେ ଗୋଲେଖଙ୍କ ନିକଟରେ ପହଞ୍ଚି ସେଠାରେ ରହୁଥିଲେ। ମମତା ସେଠାରେ ପହଞ୍ଚିବା ପରେପରେ ଗୋଲେଖ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଲେ। ତେବେ ୩ ତାରିଖ ରାତିରେ ଏଭଳି ଅଘଟଣକୁ ନେଇ ମମତା ଏକପ୍ରକାର ନିର୍ବାକ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର