କଳା ପଲସର‌୍‌ ଆତଙ୍କ: ଥାନା ପାଖରୁ ପୁଣି ଲୁଟ୍‌

ବୃଦ୍ଧା ଦମ୍ପତିଙ୍କ ଠାରୁ ଲୁଟିନେଲେ ୫୦ ହଜାର

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଟାଉନ୍‌ ଥାନାଠାରୁ ଅନତିଦୂର ଜନଗହଳିପୂର୍ଣ୍ଣ ସାନ୍ତସାହି ଛକରୁ ଆଜି ଦିନ ଦ୍ବିପହରରେ ପୁଣି ଲୁଟ୍‌ ଘଟଣା ଚା˚ଚଲ୍ୟ ସୃଷ୍ଟି କରିଛି। ବ୍ୟାଙ୍କରୁ ୫୧ ହଜାର ଟଙ୍କା ଉଠାଇ ପୁରୁଷୋତ୍ତମପୁର ପଞ୍ଚାୟତ କହ୍ନେଇପୁର ଗାଁର ମୀନକେତନ ପ୍ରଧାନ(୫୦) ପତ୍ନୀ ସରସ୍ବତୀଙ୍କ ସହ ସଉଦା କିଣୁଥିବା ବେଳେ ୨ ଜଣ ଦୁର୍ବୃତ୍ତ କଳା ପଲସର‌୍‌ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି। ମୀନକେତନ ଜଣେ ଗରିବ ଚାଷୀ। ଚାଷ କାମରୁ କଷ୍ଟୋପାର୍ଜିତ ଟଙ୍କା ବ୍ୟାଙ୍କ୍‌ରେ ଜମା ରଖିଥିଲେ। ଆଜି ଝିଅର କୌଣି କାମ ପାଇଁ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ରୁ ୪୦ ହଜାର ଓ ୟୁନିଅନ୍‌ ବ୍ୟାଙ୍କ୍‌ରୁ ୧୧ ହଜାର ଟଙ୍କା ଉଠାଇ ଘରକୁ ବାହାରିଥିଲେ।

ଦିନ ପ୍ରାୟ ସାଢେ଼ ଗୋଟାଏ ବେଳେ ମୀନକେତନ ଓ ସରସ୍ବତୀ ସାନ୍ତସାହି ଛକ ନିକଟରେ ପହଁଚିଥିଲେ। ସରସ୍ବତୀ ସଉଦା କିଣୁଥିବା ବେଳେ ମୀନକେତନ ବାହାରେ ଟଙ୍କା ବ୍ୟାଗ୍‌ ଧରି ଠିଆ ହୋଇଥିଲେ। ଏତିକି ବେଳେ ଦୁଇଜଣ ଯୁବକ କଳା ପଲସର‌୍‌ରେ ଆସି ବ୍ରେକ୍‌ କସିଥିଲେ। ପଛରେ ବସିଥିବା ଯୁବକ ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଥିଲା। ମୀନକେତନଙ୍କ ହାତରେ ଟଙ୍କା ଥିବା ଜରିର କିଛି ଅ˚ଶ ଥିଲେ ହେଁ ପଛରେ ବସିଥିବା ଯୁବକ ଟଙ୍କା ଥଳି ନେବାରେ ସମର୍ଥ ହୋଇଥିଲା। ତେବେ ଦୁହେଁ ବାଇକ୍‌ରୁ ଖସି ପଡ଼ିଥିଲେ। ମୀନକେତନ ଚୋର ଚୋର ବୋଲି ପାଟି କରିବା ଭିତରେ ସେମାନେ ଜନଗହଳି ଭିତରେ ପଶି ଆଖି ପିଛୁଳାକେ କାକଟ ଛକ ଆଡ଼କୁ ଫେରାର ହୋଇ ଯାଇଥିଲେ। ଥାନାଧିକାରୀ ତପନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଟାଉନ୍‌ ଥାନା ଅଞ୍ଚଳରୁ ପଲସର‌୍‌ ବାଇକ୍‌ରେ ଗତ କିଛି ଦିନ ମଧୢରେ ୩ ଥର ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିଲେ ହେଁ ପୁଲିସ୍‌ ସେମାନଙ୍କ ପତ୍ତା ପାଇନାହିଁ ।

ସମ୍ବନ୍ଧିତ ଖବର