ଅନ୍ଧାରରେ ପଟ୍ଟାମୁଣ୍ଡାଇ ସହର:ଜଳୁନି ହାଇମାଷ୍ଟ, ପାଣିରେ ୧୨ଲକ୍ଷ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ସହରକୁ ଆଲୋକୀକରଣ ପାଇଁ ଗଲା ବର୍ଷ ଅକ୍ଟୋବରରେ ୩ଟି ହାଇମାଷ୍ଟ ଲାଇଟ ଲାଗିଥିଲା। ସପ୍ତାହେ ଜଳିବା ପରେ ସବୁ ଅଚଳ ହୋଇ ପଡ଼ିଲା। ୧୦ ମାସ ବିତି ଗଲାଣି, ୧୨ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଏହି ଲାଇଟ୍‌ଗୁଡ଼ିକର ମରାମତି କରିବାକୁ ପୌର କର୍ତ୍ତୃପକ୍ଷ ନାଁ ଧରୁ ନାହାନ୍ତି। ଦୋକାନବଜାର ବନ୍ଦ ହୋଇଯିବା ପରେ ସହର ଅନ୍ଧାରେ ବୁଡ଼ି ଯାଉଛି।
ଓ୍ଵାର୍ଡ ଅଞ୍ଚଳର ଅବସ୍ଥା ବି ଶୋଚନୀୟ। ୨୦ଟିରୁ ୧୮ଟି ଓ୍ଵାର୍ଡ ବର୍ଷାଧିକ କାଳ ହେଲା ଅନ୍ଧାରରେ ବୁଡ଼ି ରହିଛି।
ସୂଚନା ଥାଉ କି, ଗତବର୍ଷ ଦୁର୍ଗା ପୂଜା ପୂର୍ବରୁ ପଟ୍ଟାମୁଣ୍ଡାଇ ସହର ପାଇଁ ସରକାର ୩ଟି ହାଇମାକ୍ସ ଲାଇଟ ଯୋଗାଇ ଦେଇଥିଲେ। ଡ଼ାକବଙ୍ଗଳା ଛକ, ବାଇପାଶ ଓ ପୋଲ ପାଖ ଭଳି ଗୁରୁତ୍ୱପୂର୍ଣ୍ଣ ଛକରେ ଏହି ଲାଇଟ୍‌ଗୁଡ଼ିକ ଲଗାଯାଇଥିଲା। ଲାଇଟ ଲାଗିବାର ଗୋଟିଏ ସପ୍ତାହ ଭିତରେ ଅଚଳ ହୋଇପଡ଼ିଥିଲା। କାମ ନେଇଥିବା କମ୍ପାନୀ ଏହାର ମରାମତି କରିବ ବୋଲି କହି ପୌରପାଳିକା ହାତ ଝାଡ଼ି ବସି ପଡ଼ିଛି। କମ୍ପାନୀ ନୂଆ ଲାଇଟ ଲଗାଉ ନାହିଁ କିମ୍ବା ମରାମତି କରୁନାହିଁ। ଦୋକାନବଜାର ବନ୍ଦ ହୋଇଯିବା ପରେ ସହର ଭିତର ଦେଇ ଯାଇ ହେଉନାହିଁ।

ମେଡିକାଲ ସମେତ ବିଭିନ୍ନ କାମରେ ରାତିରେ ଆସୁଥିବା ଲୋକେ ଅସାମାଜିକ ଯୁବକଙ୍କ କବଳରେ ପଡ଼ୁଛନ୍ତି। ଘରୋଇ କମ୍ପାନୀ ଆଲୋକୀକରଣ କାମ ନେବା ପରେ ପୌରପରିଷଦ କୌଣସି ଲାଇଟ କିମ୍ବା ମରାମତି ପାଇଁ ଖର୍ଚ୍ଚ କରିପାରିବ ନାହିଁ ବୋଲି ନଗରଉନ୍ନୟନ ବିଭାଗ ପକ୍ଷରୁ ଚିଠି ଆସିଛି ବୋଲି ପୌରପରିଷଦ ପକ୍ଷରୁ କୁହାଯାଇଛି। ସାଧାରଣ ଲୋକ ଅଭିଯୋଗ କଲେ ପୌରପରିଷଦ ବିଭିନ୍ନ କଥା କହି ଲୋକଙ୍କୁ ଭୁଆଁ ବୁଲାଉଛି। ଆସନ୍ତା ମାସରେ ଚଳିତ ନିର୍ବାଚିତ ପୌରପାଳିକାର କାର୍ଯ୍ୟକାଳ ସରୁଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରତ୍ୟେକ ୱାର୍ଡକୁ ୨୫ଲକ୍ଷ ଟଙ୍କା ଉନ୍ନୟନ କାମ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଏହି ଟଙ୍କାର ଭାଗବାଣ୍ଟା ପାଇଁ ଦୁଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଚାଲି ଥିବାରୁ ଆଲୋକ ସମସ୍ୟା ଫିକା ପଡିଯାଇଛି। ସେହିପରି ୱାର୍ଡ ଭିତରେ ବି ଅନୁରୂପ ଅବସ୍ଥା ଦେଖାଦେଇଛି। ୨୦ଟି ୱାର୍ଡ ମଧ୍ୟରୁ ପ୍ରାୟ ୧୮ଟିରେ ଲାଇଟ ଜଳୁନାହିଁ। କାଉନସିଲରମାନେ ଅଭିଯୋଗ କଲେ ଏହାର ପ୍ରତିକାର କରାଯାଉ ନ ଥିବା ଅଭିଯୋଗ ହୋଇଛି। ପୌରପାଳିକାରେ ଲାଇଟ ମରାମତି କାମ କରିବା ପାଇଁ କର୍ମଚାରୀ ଓ ନିଯୁକ୍ତ କରାଯାଇଛି। ମାତ୍ର ସେମାନେ କୌଣସି ଦିନ ଲାଇଟ ମରାମତି କାମ କରୁନାହାନ୍ତି। ଫଳରେ ସମାନ୍ୟ ତ୍ରୁଟି ଥିବା ଲାଇଟଗୁଡିକ ମଧ୍ୟ ଅଚଳ ହୋଇପଡିଛି। ପୌରପାଳିକା ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ କମ୍ପାନୀକୁ ଚିଠି ଲେଖାଯାଇଛି। ଖୁବଶୀଘ୍ର କମ୍ପାନୀ କାମ ଆରମ୍ଭ କରିବ।

ସମ୍ବନ୍ଧିତ ଖବର