ମଦ ବିରୋଧୀ ଅଭିଯାନ ସଦସ୍ୟଙ୍କୁ ପୁଲିସ୍‌ର ମାଡ଼!:ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡ଼ା: ସରକାର ଶିଶୁଙ୍କୁ ଯୌନ ନିର୍ଯାତନା ଓ ମହିଳାଙ୍କ ସୁରକ୍ଷା ସଚେତନତା ଉଦ୍ଦେଶ୍ୟରେ ପରୀରଥ ପରିକ୍ରମା କରୁଥିବା ବେଳେ ମଦ ବିରୋଧରେ ଆନ୍ଦୋଳନରତ ମହିଳା ନିର୍ଯାତିତ ହେଉଛନ୍ତି । ପୁଲିସ୍‌ ସେମାନଙ୍କୁ ଧମକ ଚମକ ଦେଉଛି। ମଦ ମାଫିଆଙ୍କୁ ସୁରକ୍ଷା ଦେଇ ମଦ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ମାଡ଼ ମାରିଛି। ଏମିତି ଅଭିଯୋଗ ଆଣିଛନ୍ତି ମହାକାଳପଡ଼ା ବ୍ଲକ୍‌ ବତୀଘର ଅଞ୍ଚଳ ନିଶା ନିବାରଣ ଅଭିଯାନର ନାରୀନେତ୍ରୀମାନେ। ଚୋରା ମଦ ବେପାରୀଙ୍କୁ ଧରି ପୁଲିସ୍‌କୁ ଖବର ଦେଇଥିବା ମହିଳା ସଦସ୍ୟମାନେ ପୁଲିସ୍‌ ଓ ମଦ ବେପାରୀଙ୍କ ନିର୍ଯାନତାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କୁ ଭେଟି ଏହି ମହିଳାମାନେ ଉପରୋକ୍ତ ମର୍ମରେ ଏକ ଦାବିପତ୍ର ଦେଇଛନ୍ତି । ବିହିତ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଶୁଣାଇଛନ୍ତି ।

ଅଭିଯୋଗପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ, ଗତ ୨୬ ତାରିଖରେ ବତୀଘର ପଞ୍ଚାୟତର ଉବରକୋଳି ଖୋଳା ଗ୍ରାମରେ ସ୍ୱେଚ୍ଛାସେବୀ ମହିଳା ଓ କେତେକ ଯୁବକ ଗାଁର ଚୋରା ମଦ ବେପାର କରୁଥିବା ତପନ ଦାସକୁ ଅଟକ ରଖି ତାଙ୍କଠାରୁ ୬ ପେଟି ମଦ ଜବତ କରିଥିଲେ । ଏ ସମ୍ପର୍କରେ ସେମାନେ ରାମନଗର ଫାଣ୍ଡି ଓ ଜମ୍ବୁ ମେରାଇନ୍‌ ଥାନାକୁ ଜଣାଇଥିଲେ । ପୁଲିସ୍‌ ସହସା ଘଟଣା ସ୍ଥଳରେ ନ ପହଁଚି ମଦ କାର୍ଟୁନ୍‌ ଆଣି ଥାନାକୁ ଆସ ବୋଲି କହିଥିଲା ବୋଲି ଏହି ମହିଳାମାନେ ଅଭିଯୋଗ କରିଛନ୍ତି । ତେବେ ମହିଳାମାନେ ଏ ନେଇ ରାମନଗର ଫାଣ୍ଡିରେ ଏତଲା ଦେବା ପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଫଳରେ ମଦ ବେପାରୀମାନେ ଉତ୍‌କ୍ଷୀପ୍ତ ହୋଇ ଏହି ମହିଳା ଓ କେତେକ ପୁରୁଷ ସଦସ୍ୟଙ୍କ ଉପରେ ଦାଉ ସାଧିଲେ । ସ୍ୱେଚ୍ଛାସେବୀ ସହଦେବ ସାହୁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା ଧମକ ଦେଲେ । ଅନ୍ୟପକ୍ଷରେ ମଦ ଧରିଥିବା ମହିଳା ଓ କେତେକ ପୁରୁଷ ଲୋକଙ୍କ ବିରୋଧରେ ମଦ ବ୍ୟବସାୟୀଙ୍କ ପକ୍ଷରୁ ପାଲଟା ସଂଗୀନ ଦଫାରେ ମିଥ୍ୟା ଏତଲା ଦେଲେ । ମଦ ବିରୋଧୀ ଆନ୍ଦୋଳନ କରୁଥିବା ସମସ୍ତ ସଦସ୍ୟଙ୍କୁ ଏପରି ମାଡ଼ ମରାଯିବ ବୋଲି ନାଲି ଆଖି ଦେଖାଇ ଚାଲିଗଲେ ।

ସାହସ କରି କିଛି ମହିଳା ପୁନର୍ବାର ଥାନାକୁ ଯିବା ବେଳେ ମଦ ବ୍ୟବସାୟୀମାନେ ଡଙ୍ଗା ଘାଟ ପାଖରେ ପହଞ୍ଚି ପୁଣି ଧମକ ଚମକ ଦେଇଥିଲେ। ଏ ସଂକ୍ରାନ୍ତରେ ଏହି ମହିଳାମାନେ ଭୁବନେଶ୍ୱର ନିଶା ନିବାରଣ ଆନ୍ଦୋନ କରୁଥିବା ମହିଳା ସଂଗଠନକୁ ଜଣାଇଥିଲେ । ଖବର ପାଇ ଓଡ଼ିଶା ନିଶା ନିବାରଣ ଅଭିଯାନର ରାଜ୍ୟ ଯୁଗ୍ମ ସସମ୍ପାଦିକା ଅପର୍ଣ୍ଣ ନାୟକ, ସଦସ୍ୟା ବାସନ୍ତୀ ଆଚାର୍ଯ୍ୟ, ଜିଲ୍ଲା ସଭାପତି ପାର୍ବତୀ ନାୟକଙ୍କ ନେତୃତ୍ୱରେ ସାବିତ୍ରୀ ଦାସ, ସଂଧ୍ୟା ସାମନ୍ତ, କାଜଲ ଗିରି, ରୀତାରାଣୀ ପ୍ରଧାନ, ମହାଦେବ ସାହୁ, ସରସ୍ୱତୀ ମଣ୍ଡଳ, ଆଳ୍ପନା ପ୍ରଧାନ, ମାଧବୀ ଜାନୀ, ପଂଚମି ଦାସ ଓ ଅନ୍ୟମାନେ ଉପଜିଲ୍ଲାପାଳଙ୍କୁ ଭେଟି ଉପରୋକ୍ତ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତାଙ୍କ ସହ ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସମ୍ପାଦକ ରମଣୀ ରଂଜନ ରାଉତରାୟ ସାମିଲ ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଥିଲେ ।

ସମ୍ବନ୍ଧିତ ଖବର