ରାଜନଗର ନିର୍ବାଚନ ମଇଦାନରେ ୩ କୋଟିପତି ପ୍ରାର୍ଥୀ

ରାଜନଗର: ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀ ପାଇଁ ୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୭ଜଣଙ୍କ ମଧ୍ୟରୁ ବିଜେଡିରୁ ଧ୍ରୁବ ସାହୁ, କଂଗ୍ରେସରୁ ଅଂଶୁମାନ ମହାନ୍ତି ଓ ବିଜେପିରୁ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ନିର୍ବାଚନ ଲଢୁଛନ୍ତି। ଏହି ପ୍ରମୁଖ ପ୍ରାର୍ଥୀ କୋଟିପତି ବୋଲି ସେମାନଙ୍କ ସତ୍ୟପାଠରୁ ଜଣାପଡିଛି।
ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ସତ୍ୟପାଠରେ ନିଜର, ନିଜ ପରିବାର ଓ ପତ୍ନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୩୦ ଲକ୍ଷ ୮୭ହଜାର ୧୨୨ ଟଙ୍କା ବୋଲି ଦର୍ଶାଇଛନ୍ତି। ତାଙ୍କ ପାଖରେ ହାତଜମା ୬୦ହଜାର ଟଙ୍କା ଥିବା ବେଳେ ପତ୍ନୀଙ୍କ ପାଖରେ ହାତଜମା ୪୫ହଜାର ୮ଶହ ରହିଛି। ଶ୍ରୀ ମହାନ୍ତିଙ୍କ ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ, ମ୍ୟୁଚୁଆଲ ଫଣ୍ତ, ସେୟାରବଣ୍ତ ଓ ସୁନାର ମୂଲ୍ୟ ମିଶି ୨୪ ଲକ୍ଷ ୨୩ ହଜାର ୪୧୪ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭ ଲକ୍ଷ ୧ ହଜାର ୭୦୬ ଟଙ୍କା। ଶ୍ରୀ ମହାନ୍ତିଙ୍କ ପାଖରେ ୨୨୨ ଗ୍ରାମ ଓ ପତ୍ନୀଙ୍କ ପାଖରେ ୪୪୫ ଗ୍ରାମ ସୁନା ରହିଛି। ତାଙ୍କର କିମ୍ବା ତାଙ୍କ ପତ୍ନୀଙ୍କ କୌଣସି ଗାଡ଼ି ନଥିବା ଜଣାପଡିଛି। ସ୍ବର୍ଗତ ପିତାଙ୍କ ନାମରେ ଗୋଟିଏ ‘ଫିଆଟ୍‌’ କାର ରହିଛି। ଯାହାର ଆନୁମାନିକ ମୂଲ୍ୟ ୯ହଜାର ଟଙ୍କା ଓ ତାଙ୍କର ସେଥିରୁ ସେୟାର ୩ ହଜାର ବୋଲି ଦର୍ଶାଇଛନ୍ତି। ସ୍ଥାବର ସମ୍ପତ୍ତି ୭୯ ଲକ୍ଷ ୬୨ ହଜାର ୨ ଟଙ୍କା ଦର୍ଶାଇଥିବା ବେଳେ ସେ ୨୦୧୭–୧୮ ଆର୍ଥିକ ବର୍ଷରେ ୫ ଲକ୍ଷ ୮୨ହଜାର ୧୫୦ଟଙ୍କା ରୋଜଗାର କରିଛନ୍ତି ଓ ପତ୍ନୀ ୯ ଲକ୍ଷ ୩୫ ହଜାର ୯୦ ଟଙ୍କା ରୋଜଗାର କରିଥିବା ଦର୍ଶାଇଛନ୍ତି। କୌଣସି ବ୍ୟାଙ୍କରେ ଋଣ ନଥିବା ବେଳେ ବିନା ସୁଧରେ ସେ ସଂପର୍କୀୟଙ୍କଠାରୁ ୯ ଲକ୍ଷ ୮୭ ହଜାର ଟଙ୍କା ଆଣିଛନ୍ତି। ସେହିପରି ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ଅଲେଖ କୁମାର ଜେନା ଦାଖଲ କରିଥିବା ସତ୍ୟପାଠରେ ନିଜର, ନିଜ ପରିବାର ଓ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୯୭ ଲକ୍ଷ ୮୮ହଜାର ୫୮୯ ଟଙ୍କା ଦର୍ଶାଇଛନ୍ତି। ତାଙ୍କର ହାତଜମା ୫୦ହଜାର ଓ ପତ୍ନୀଙ୍କ ୧୦ହଜାର ଟଙ୍କା ରହିଛି। ସେ ୨୦୧୮–୧୯ ଆର୍ଥିକ ବର୍ଷରେ ସେ ୧୦୬୮ ଟଙ୍କା ଆୟ କର ଦେଇଥିବା ବେଳେ ପତ୍ନୀ ୬,୭୨୧ ଟଙ୍କା ଆୟ କର ଦେଇଛନ୍ତି। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୧ ଲକ୍ଷ ୩୯ ହଜାର ୧୯୦ ଟଙ୍କା। ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ଲକ୍ଷ ୩୬ ହଜାର ୮୨୪ ଟଙ୍କା। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ ଲକ୍ଷ ୬୮ ହଜାର ୫୭୫ ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କ ୧୦ଲକ୍ଷ ୪୪ ହଜାର ଟଙ୍କା। ଶ୍ରୀ ଜେନାଙ୍କ ପାଖରେ ୧୫ ଗ୍ରାମ ସୁନା ଥିବାବେଳେ ପତ୍ନୀଙ୍କ ପାଖରେ ୬୦ଗ୍ରାମ ସୁନା ରହିଛି। ଶ୍ରୀ ଜେନାଙ୍କ ପାଖରେ ମଟରସାଇକେଲ, ହୋଣ୍ତା ଆକ୍ଟିଭା, ଚେଭ୍ରୋଲେଟ ସ୍ପାର୍କ ଓ ମହିନ୍ଦ୍ରା କ୍ବାଂଟୋ ଚାରିଚକିଆ ଗାଡି ରହିଛି ବୋଲି ଦର୍ଶାଇଛନ୍ତି। ତାଙ୍କ ନାଁରେ କୌଣସି ଋଣ ନ ଥିବା ଉଲ୍ଲେଖ କରିଛନ୍ତି। ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ନିଜର, ନିଜ ପରିବାର ଓ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ୪୪ ଲକ୍ଷ ୨୭ହଜାର ୯୧୯ ଟଙ୍କା ବୋଲି ଦର୍ଶାଇଛନ୍ତି। ତାଙ୍କ ପାଖରେ ହାତଜମା ୫୫ହଜାର ୫ଶହ ଓ ପତ୍ନୀଙ୍କ ପାଖରେ ୨୭,୩୦୦ ଟଙ୍କା ହାତଜମା ରହିଛି। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ ଲକ୍ଷ ୯୯ ହଜାର ୪୬୩ ଟଙ୍କା। ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୫ ଲକ୍ଷ ୬୫ ହଜାର ୮୧୯ ଟଙ୍କା ଦର୍ଶାଇଛନ୍ତି। ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ୫୦ହଜାର ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କ ନାଁରେ ୯୨ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଶ୍ରୀ ସାହୁଙ୍କ ପାଖରେ ୫୦ ଗ୍ରାମ ସୁନା ଥିବା ବେଳେ ପତ୍ନୀଙ୍କ ପାଖରେ ୩ଶହ ଗ୍ରାମ ସୁନା ରହିଛି। ଧ୍ରୁବଙ୍କ ନାଁରେ ହିରୋହୋଣ୍ତା ସିଡି ଡିଲକ୍ସ ଓ ବଜାଜ ସୁପର ସ୍କୁଟି ଓ ପତ୍ନୀ ସ୍ପର୍ପିଓ ଗାଡି ଋଣରେ ଆଣିଥିବା ଦର୍ଶାଇଛନ୍ତି। ଶ୍ରୀ ସାହୁଙ୍କ ନାଁରେ ୫୩ ଲକ୍ଷ ୩୧ ହଜାର ୯୩୬ ଟଙ୍କା ଋଣ ଥିବାବେଳେ ପତ୍ନୀଙ୍କ ନାଁରେ ୮ ଲକ୍ଷ ୨୩ ହଜାର ୭୮୪ ଟଙ୍କା ହାଉସବିଲ୍ଡିଂ ଋଣ ରହିଛି। ଉଭୟଙ୍କ ନାଁରେ ଯୁଗ୍ମ ଭାବେ ହାଉସ ବିଲ୍ଡିଂ ଋଣ ୫ ଲକ୍ଷ ୩୧ ହଜାର ୫୬୦ ଟଙ୍କା ରହିଛି। ଶ୍ରୀ ସାହୁ ତାଙ୍କ ଭଉଣୀଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ ଶ୍ବଶୁରଙ୍ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଋଣ ଆଣିଛନ୍ତି। ଉଭୟଙ୍କ ଋଣ ୭୦ ଲକ୍ଷ ୫୭ ହଜାର ୨୮୦ଟଙ୍କା ରହିଛି। ଶ୍ରୀ ସାହୁଙ୍କ ଭୁବନେଶ୍ବରର ଘର ହୋଇଥିବା ପ୍ଲଟ୍‌ଟି ତାଙ୍କୁ ଉପହାର ଆକାରରେ ମିଳିଥିବା ବେଳେ ଘର କରିବାକୁ ଋଣ କରିଥିବା ଦର୍ଶାଇଛନ୍ତି। ତାଙ୍କ ସମ୍ପତ୍ତିକୁ ନେଇ ବିରୋଧୀ ଗୋଷ୍ଠୀ ବିଭିନ୍ନ ସମୟରେ ଅପପ୍ରଚାର କରି ଆସୁଛନ୍ତି। ତେବେ ତାଙ୍କର ୨୦୧୪ର ସତ୍ୟପାଠ ଓ ବର୍ତ୍ତମାନର ସତ୍ୟପାଠ ପ୍ରାୟ ସମାନ ଥିବା ଜଣାପଡିଛି। ଶ୍ରୀ ସାହୁ ୨୦୧୭–୧୮ରେ ୩ ଲକ୍ଷ ୯୫ ହଜାର ୪୯ ଟଙ୍କା ଓ ଚାକିରିଆ ପତ୍ନୀ ୨୦୧୭–୧୮ରେ ୪ ଲକ୍ଷ ୫୪ ହଜାର ୭୧୨ ଟଙ୍କା ରୋଜଗାର କରିଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର