ମଧ୍ୟାହ୍ନଭୋଜନ ପୋର୍ଟାଲରେ ଭୁଲ ତଥ୍ୟ: ଖାଇଲେ ୨୮, ଉପସ୍ଥାନରେ ୧୩୦

ତଦନ୍ତ କଲେ ସିଆରସିସି, ଧରାପଡ଼ିଲା କାରନାମା

ମହାକାଳପଡ଼ା: ବିଦ୍ୟାଳୟକୁ ଆସିଥିଲେ ୨୮ ପିଲା। ପ୍ରଧାନଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନ ପୋର୍ଟାଲରେ ୧୩୦ ବୋଲି ଦରଜ କରିଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଜିଲ୍ଲାଶିକ୍ଷାଧିକାରୀଙ୍କ ପାଖରେ ଖବର ପହଞ୍ଚିଥିଲା । ବ୍ଲକ ଶିକ୍ଷାଧିକାରୀ ସ୍ଥାନୀୟ ସିଆରସିସିଙ୍କୁ ତତ୍‌କ୍ଷଣାତ ତଦନ୍ତ କରିବାକୁ ପଠାଇଥିଲେ। ତଦନ୍ତ ବେଳେ କାରନାମା ପଦାରେ ପଡିଥିବା ଜଣାପଡ଼ିଛି । ମହାକାଳପଡ଼ା ବ୍ଲକ କରଞ୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ନଜରକୁ ଆସିଛି। ଏହାକୁ ନେଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟକୁ ଆଜି ମାତ୍ର ୨୮ ଜଣ ଛାତ୍ରଛାତ୍ରୀ ଆସିଥିଲେ। ସେମାନେ ମଧ୍ୟାହ୍ନଭୋଜନ ଖାଇଇଥିଲେ। ତେବେ ପ୍ରଧାନଶିକ୍ଷୟିତ୍ରୀ ରଂଜିତା ବେହେରା ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବଢାଇ ମଧ୍ୟାହ୍ନଭୋଜନ ପୋର୍ଟାଲରେ ୧୩୦ ବୋଲି ଦର୍ଶାଇ ଦେଇଥିଲେ। ସିଆରସିସି ଦିଲୀପ ସାହୁ ବିଦ୍ୟାଳୟରେ ପହଞ୍ଚି ଦେଖିବା ବେଳକୁ ଶ୍ରେଣୀରେ ମାତ୍ର ୨୮ ଜଣ ପିଲା ଉପସ୍ଥିତ ଥିଲେ । ଅପରାହ୍ନ ପ୍ରାୟ ସାଢେ ୧ ଟା ବେଳେ ସିଆରସିସି ଶ୍ରୀ ସାହୁ ସ୍କୁଲରେ ପହଞ୍ଚି ପ୍ରଥମେ ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ହେଲେ ସେଥିରେ କାହାରି ଉପସ୍ଥାନ ପଡ଼ି ନ ଥିଲା। ସିଆରସିସି ପହଞ୍ଚିବାର ମାତ୍ର ଅଧଘଣ୍ଟା ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟରେ ଆସି ପହଞ୍ଚି ଥିଲେ । ସେ ଘରେ ଥାଇ ମଧ୍ୟାହ୍ନଭୋଜନ ପୋର୍ଟାଲରେ ୧୩୦ ଜଣ ପିଲା ସ୍କୁଲ ଆସିଥିବା ରିର୍ପୋଟ ଦରଜ କରିଥିବା ଜଣାପଡ଼ିଥିଲା। ଏମିତି ଘଟଣା ଆଜିର ନୁହେଁ, ବରଂ ଦୀର୍ଘଦିନ ହେଲା ଚାଲି ଆସିଛି ବୋଲି କେତେକ ଶିକ୍ଷକ ଓ ଅଭିଭାବକମାନେ ସିଆରସିସିଙ୍କ ନିକଟରେ ଅଭିଯୋଗ ଉଠାଇଥିଲେ। ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିୟମିତ ଭାବେ ଉପସ୍ଥାନରେ ଅଧିକ ପିଲା ଆସୁଥିବା ଦର୍ଶାଉଛନ୍ତିି ବୋଲି ସେମାନେ ଅଭିଯୋଗ କରିଥିଲେ।
ନିୟମିତ ଭାବେ ପ୍ରଧାନଶିକ୍ଷୟତ୍ରୀ ଉପସ୍ଥାନ ବଢାଇ ମଧ୍ୟାହ୍ନଭୋଜନ ଅର୍ଥ ହରିଲୁଟ କରୁଛନ୍ତି ବୋଲି ଅଭିଭାବକମାନେ ଦର୍ଶାଇଥିଲେ। ସିଆରସିସି ଶ୍ରୀ ସାହୁ କହିଛନ୍ତି ଯେ, ଉପସ୍ଥାନରେ ଅନିୟମିତତା ଧରାପଡ଼ିଛି। ଏ ସଂପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବ୍ଲକ ଶିକ୍ଷାଧିକାରୀ ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀଙ୍କ ବିରୋଧରେ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ସେ ସୁପାରିଶ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର