ନାଳରେ ଓଲଟିଲା ସ୍କୁଲ ଭ୍ୟାନ୍‌

ରାଜନଗର:  ସକାଳ ପ୍ରାୟ ୬ଟା ୩୦ରେ ଏକ ସ୍କୁଲ ଭ୍ୟାନ୍‌ ରାସ୍ତା ତଳକୁ ନାଳ ମଧ୍ୟକୁ ଓଲଟି ପଡିଥିଲା। ଭ୍ୟାନ୍‌ ମଧ୍ୟରେ ଥିବା ସମସ୍ତ ୧୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ରାଜନଗର ଠାରେ ଥିବା ସେଣ୍ଟ୍‌ ଜାଭିୟର ହାଇସ୍କୁଲର ଭ୍ୟାନ୍‌ ଆଜି ସକାଳେ ଘଡିଆମାଳ ନିକଟରୁ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟକୁ ଆସୁଥିଲା। ଲକ୍ଷ୍ମୀ ନାରାୟଣପୁର ଗାଁ ନିକଟରେ ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିଲା। ଭାରସାମ୍ୟ ହରାଇ ସ୍କୁଲ ଭ୍ୟାନ୍‌ଟି ରାସ୍ତା ପାଖ ନାଳ ମଧ୍ୟକୁ ଖସିଯାଇଥିଲା। ଗାଡିଟି ନାଳ ମଧ୍ୟରେ ନବେଭାଗ ବୁଡି ରହିଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ସଂଗେ ସଂଗେ ଭ୍ୟାନ୍‌ ମଧ୍ୟରୁ କୁନିକୁନି ୧୦ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଭ୍ୟାନ୍‌ ମଧ୍ୟରେ ଘଡିଆମାଳର ସ୍ୱାତୀସ୍ନିଗ୍ଧା ମିଶ୍ର, ମୋନାଲିସା ପ୍ରଧାନ, କଣ୍ଡିରାର ଅନନ୍ୟା ମଲ୍ଲିକ, ନେଥୁରିଆର ଦେବେବ୍ରତ ସ୍ୱାଇଁ, ଦିଘୀର ମାମାଲି ଜେନା, ରାହୁଲ ଜେନା, ଭିତରଗଡର ସୁଧାଂଶୁ ଶେଖର ସେଠୀ, କଣ୍ଡିରାର ସ୍ୱପ୍ନେଶ୍ୱର ମଲ୍ଲିକ, ହରିହର ବାରିକ ପ୍ରମୁଖଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲେ ମଧ୍ୟ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର