ରାଜନଗରରେ ଦ୍ବିତୀୟ ଏନ୍‌କାଉଣ୍ଟର, ତୃତୀୟ ଗୁଳିକାଣ୍ଡ

ରାଜନଗର: ଶାନ୍ତିପ୍ରିୟ ରାଜନଗର ଅଂଚଳରେ ଅପରାଧୀଙ୍କ ଗୁଳିମାଡ ଓ ପୁଲିସର ଏନକାଉଂଟର ଅଂଚଳବାସୀଙ୍କ ମଧ୍ୟରେ ଅାତଙ୍କ ଖେଳାଇ ଦେଇଛି । ରାଜନଗର ଏବେ ଅପରାଧୀଙ୍କ ପାଇଁ ଅଭୟସ୍ଥଳ ପାଲଟିଛି। ରାଜନଗର ଇତିହାସରେ ଅାଜିର ଏନକାଉଂଟରକୁ ମିଶାଇ ଦୁଇଟି ଏନକାଉଂଟର ହୋଇଥିବା ବେଳେ ସମୁଦାୟ ୩ଟି ଗୁଳିକାଣ୍ଡ ଘଟିଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ସୋମବାର କଣ୍ଡିରା ଗାଁରେ ସାପଗ୍ୟାଙ୍ଗର ଅପରାଧୀମାନେ ଗୁଳିଚାଳନା କରିଥିଲେ। ଗୁଳିକାଣ୍ଡରେ ସେହି ଗାଁର କିଶୋର କୁମାର ସେଠୀଙ୍କ ମୃତ୍ୟୁ ଘଟିଛି । ସେହିପରି ଗତ ୨୦୧୭ ସେପ୍ଟେମ୍ବର ୨୨ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁପାରି ନେଇ ଅପରାଧୀମାନେ ରାଜନଗର ଗାଁର ବିଚିତ୍ର କୁମାର ମଲ୍ଲିକଙ୍କ ଉପରକୁ ଗୁଳିମାଡ କରିଥିଲେ। ବିଚିତ୍ରଙ୍କ ପେଟରେ ଗୁଳି ବାଜିଥିଲା। ବିଚିତ୍ର ସୌଭାଗ୍ୟ କ୍ରମେ ଜୀବନ ଫେରିପାଇଛନ୍ତି। ୧୯୯୨ ମସିହାରେ ତାଳଚୁଅା ଠାରେ ପଶ୍ଚିମବଂଗର ଅପରାଧୀମାନେ ଅାସି ବଡଧରଣର ଡକାୟତି କରିବା ସହ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ସେହିପରି ରାଜନଗରରେ ସମୁଦାୟ ୨ଟି ଏନକାଉଂଟର ପୁଲିସ କରିଛି । ଅାଜି ଭୋର ୪ଟାରେ କୁରୁଂଟି ଛକ ନିକଟରେ ରାଜନଗର ପୁଲିସ ସାପଗ୍ୟାଙ୍ଗର ସଂଜୟ ବିଶ୍ୱାଳ ଓରଫ ବାବୁକୁ ଏନକାଉଂଟର କରିଛି । ସେହିପରି ୨୦୦୬ ମସିହାରେ କୃଷ୍ଣନଗର ଠାରେ ଟିଟୋ ଗ୍ୟାଙ୍ଗର ଅପରାଧୀମାନେ ଲୁଚି ରହିଥିଲା ବେଳେ କେନ୍ଦ୍ରାପଡା ଟାଉନ ଥାନା ଇନ୍‌ସପେକ୍ଟର ଶାନ୍ତନୁ କୁମାର ଦାସ, ରାଜନଗର ଇନ୍‌ସପେକ୍ଟର ଶୀତିକଣ୍ଠ କାନୁନଗୋ ଓ ସ୍ପେଶାଲ ସ୍କ୍ବାଡ୍ ଜଳପଥରେ ଯାଇ ଚଢଉ କରିଥିଲେ। ଘଟଣାସ୍ଥଳରୁ ଅପରାଧୀମାନେ ଖସି ପଳାଇଥିଲେ। ମାତ୍ର କୃଷ୍ଣନଗର ଗାଁର ସେକ ମୁସ୍ତାଫାଙ୍କୁ ପୁଲିସ ଏନକାଉଂଟର କରିଥିଲା। ସ୍ପେଶାଲ ସ୍କ୍ବାଡ୍ ହାବିଲଦାର ତ୍ରୈଲୋକ୍ୟ ଜେନା ମୁସ୍ତାଫାର ଗୋଡକୁ ଗୁଳି ଚଳାଇଥିଲେ ।

ସମ୍ବନ୍ଧିତ ଖବର