ରାସ୍ତା ମଝିରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁରରେ ଆଜି ଅଭାବନୀୟ ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ଯଦୁପୁର ଛକଠାରେ ୫ନଂ.(କ) ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଉତ୍ତ୍ୟକ୍ତ ଲୋକେ ଅଡ଼ି ବସିଥିଲେ। ଖବର ଦିଆଯିବାର ଦେଢ଼ ଘଣ୍ଟା ବିଳମ୍ବରେ ପୁଲିସ ପହଞ୍ଚିବାରୁ ଲୋକେ ଆହୁରି ତାତି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଯଦୁପୁର ପଞ୍ଚାୟତ ଗୋପୀନାଥପୁରସ୍ଥିତ ସଂସ୍କୃତ ମହାବିଦ୍ୟାଳୟରେ +୩ ଶେଷ ବର୍ଷର ଛାତ୍ରୀ ଲକ୍ଷ୍ମୀପୂଜା ଛୁଟିରେ ଘରକୁ ଯାଇଥିଲେ। ଛୁଟି ପରେ ସେ ଘରୁ ଫେରିଥିଲେ। ସଂପୃକ୍ତା ଛାତ୍ରୀ ଟାଟା ମ୍ୟାଜିକ୍‌ ଗାଡ଼ିରେ ଆସୁଥିବା ବେଳେ ଭୁଲବଶତଃ ହନୁମାନ ଛକରେ ଓହ୍ଲାଇ ଚାଲିଚାଲି ଭଡ଼ାଘରକୁ ଫେରୁଥିଲେ। ଏହି ଟାଟା ମ୍ୟାଜିକ ଗାଡ଼ିରୁ ଅନ୍ୟ ଜଣେ ଯୁବକ ହନୁମାନ ଛକରେ ଓହ୍ଲାଇ ଥିଲେ। ଛାତ୍ରୀଙ୍କୁ ଏକାକୀ ଦେଖି ସେ ତାଙ୍କ ପିଛା କରିଥିଲେ। ନିରୋଳାର ସୁଯୋଗ ନେଇ ରାଜପଥର ଡିଭାଇଡର୍‌ ଉପରେ ଲାଗିଥିବା କନିଅର ଗଛ ବୁଦା ମଧ୍ୟକୁ ଛାତ୍ରୀଙ୍କୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ଛାତ୍ରୀ ଛାଟିପିଟି ହୋଇ ଚିତ୍କାର କରିବାରୁ ଆଖପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ। ଯୁବକ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଯାଇଥିଲେ।

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ ହେଁ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକେ ତାତି ଉଠିଥିଲେ। ହୋହଲ୍ଲା କରିବା ସହ ୩ ଘଣ୍ଟା କାଳ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟରେ ଗାଡ଼ିମଟର ଅଟକି ରହିଥିଲା। ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରା, ପାଟକୁରା ଥାନାଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ ଓ ଡିଏସ୍‌ପି ଏ.କେ. ବେହେରା ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସଂପୃକ୍ତା ଛାତ୍ରୀଙ୍କୁ ମାର୍ଶାଘାଇ ଥାନାକୁ ନିଆଯାଇ ଘଟଣା ସଂପର୍କରେ ଅଧିକ ପଚରାଉଚରା କରାଯାଇଛି। ତାଙ୍କ ଘର କଟକରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର