ତହସିଲଦାରଙ୍କ ବଦଳିକୁ ନେଇ ତୀବ୍ର ପ୍ରତିକ୍ରିୟା

ବଦଳି ବାତିଲ୍‌ ପାଇଁ ଦାବିପତ୍ର ଗ୍ରାମବାସୀଙ୍କ ରାସ୍ତାରୋକ ଧମକ

ରାଜନଗର: ରାଜନଗର ତହସିଲଦାର ତଥା ସାତଭାୟା ଥଇଥାନ ପ୍ରକଳ୍ପର ନୋଡାଲ୍‌ ଅଫିସର କ୍ଷୀରୋଦ କୁମାର ବେହେରାଙ୍କ ବଡ଼ବିଲ ତହସିଲଦାର ଭାବେ ବଦଳି ହୋଇଛି । ଏହି ଖବର ଜଣାପଡିବା ପରେ ରାଜନଗର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଦଳି ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସାଶନ ସଚିବ, ରାଜ୍ୟପାଳ, ରାଜସ୍ୱ ସଚିବ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛିିା ବଦଳି ବାତିଲ କରା ନ ଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।
ରାଜନଗର ତହସିଲଦାର ଭାବେ ଶ୍ରୀ ବେହେରା ୨୬ ସେପ୍ଟେମ୍ବର ୨୦୧୪ରୁ ଏଠାରେ କାର୍ଯ୍ୟରତ ଅଛନ୍ତି । ସେ ଯୋଗ ଦେବା ପରଠାରୁ ୪ ଦଶନ୍ଧି ଧରି ଏଠାରେ ମାଟି କାମୁଡି ପଡିଥିବା ସାତଭାୟାବାସୀଙ୍କ ଥଇଥାନ ସ୍ଥଳୀ କରପାଟିଆରେ ଥଇଥାନ ପ୍ରକଳ୍ପ ଆଗେଇଥିଲା । ବର୍ତ୍ତମାନ ସୁଦ୍ଧା ବଗପାଟିଆରେ ୩୦୦ ପରିବାର ରହିସାରିଲେଣି । ଆଉ କିଛି ପରିବାର ଏବେ ବି ସାତଭାୟାରେ ରହୁଛନ୍ତିା ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ବେହେରାଙ୍କୁ ପଟ୍ଟାମୁଣ୍ଡାଇ ବିଡ଼ିଓ ଭାବେ ବଦଳି କରାଯାଇଥିଲା । ମାତ୍ର ସାତଭାୟାଙ୍କ ଥଇଥାନ ପ୍ରକଳ୍ପର ଆଉ ଅଗ୍ରଗତି ହୋଇପାରି ନ ଥିଲା । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ମହାପାତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ରାଜନଗର ତହସିଲଦାର ଭାବେ ପୁନଃ ଯୋଗ ଦେବା ପାଇଁ ସୁପାରିସ କରିଥିଲୋ ୨୦୧୭ ମଇ ମାସରେ ଶ୍ରୀ ବେହେରା ରାଜନଗର ତହସିଲଦାର ଭାବେ ଯୋଗ ଦେବାପରେ ସାତଭାୟା ଥଇଥାନ ପ୍ରକଳ୍ପକୁ ଆଗେଇ ନେଇଥିଲେ । ଏଥିସହ ୫୦ ବର୍ଷ ହେଲା ପଟ୍ଟା ପାଇଁ ଧାଉଁଥିବା ରଂଗଣୀ ପଞ୍ଚାୟତର ୭୦୩ ପରିବାରକୁ ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଗତକାଲି ତାଙ୍କର ବଦଳି ଆଦେଶ ବାହାରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇନଜୀବୀ ସୁଶାନ୍ତ କୁମାର ଜେନା, ତ୍ରୈଲୋକ୍ୟ ନାଥ ସ୍ୱାଇଁ, ମହେଶ୍ୱର ସେଠୀ, ଉମେଶ ଚନ୍ଦ୍ର ଦାସ, ମନ୍ମଥ ବେହେରା ଅମର କୁମାର ଜେନା, ରଂଜନ କୁମାର ସେଠୀଙ୍କ ସମେତ ଅନେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କର ବଦଳି ବାତିଲ କରାଯିବା ନେଇ ଦାବି କରାଯାଇଛି। ଅନ୍ୟପକ୍ଷରେ ଆଜି ସାତଭାୟାର ମୁରବିମାନେ ସାତଭାୟାର ଅବଶିଷ୍ଟ ୧୪୮ ପରିବାରକୁ ଥଇଥାନ ସହ ଅନ୍ୟାନ୍ୟ ଦାବି ନେଇ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି। ତେବେ ତହସିଲଦାରଙ୍କ ବଦଳି ହେଉଥିବା ଜାଣିବା ପରେ ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁକ୍ରବାର ସେମାନେ ଏ ନେଇ ଜିଲ୍ଲାପାଳଙ୍କୁ ଭେଟିବେ। ବଦଳି ଆଦେଶ ବାତିଲ ନ କରାଗଲେ ସେମାନେ ଆନ୍ଦୋଳନ କରିବେ ବୋଲି ସାତଭାୟାର କରୁଣାକର ସ୍ୱାଇଁ, ନିଗମାନନ୍ଦ ରାଉତ, ସଂଗ୍ରାମ କେଶରୀ ସାହାଣୀ, ଜ୍ଞାନ ରଂଜନ ପଣ୍ଡା, ସୁଦର୍ଶନ ରାଉତ, ମଂଗୁଳି ଚରଣ ଦାସ, ଅକ୍ଷୟ କୁମାର ପରିଡ଼ା, ବୃନ୍ଦାବନ ମଳିକ, ପୁଷ୍ପ ରଂଜନ ପରିଡ଼ା, ଗୋଲେଖ କୁମାର ସାହାଣୀ, ନରୋତ୍ତମ ପରିଡ଼ା, ବିଚିତ୍ର କୁମାର ମଳିକ, ଦାଶରଥୀ ପରିଡ଼ା, ଶିଶିର କୁମାର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର