ଦୁଇ ଭଉଣୀଙ୍କୁ ଉଲଗ୍ନ କରି ଅସଦାଚରଣ !

ମହାକାଳପଡା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବତୀଘର ନିକଟରେ ଗତକାଲି ସନ୍ଧ୍ୟାରେ ବିବାହ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଦୁଇ ଭଉଣୀଙ୍କୁ ୪ ଜଣ ବ୍ୟକ୍ତି ଉଲଗ୍ନ କରି ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେଠାରେ ନାବାଳିକାର ଭିଣୋଇଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରି ଫେରାର ହୋଇ ଯାଇଛନ୍ତି। ପୀଡ଼ିତା ନାବାଳିକା ଜମ୍ବୁ ମେରାଇନ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ବରକୋଳି ଖୋଳା (କୋଚିଳାବେଲାରି)ଗ୍ରାମର ଏହି ପୀଡ଼ିତା ନାବାଳିକା ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ ମଟରସାଇକଲରେ ବତୀଘରକୁ ବିବାହ ନିମନ୍ତ୍ରଣ ପତ୍ର ଦେବାକୁ ଯାଇ ଫେରୁଥିଲେ। ବତୀଘରଠାରୁ କିଛି ଦୂରରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଦୁଇ ଭଉଣୀଙ୍କଠାରୁ ସୁନା ଚେନ ଓ ମୋବାଇଲ୍ ଫୋନ୍‌ ଛଡ଼ାଇ ନେଇଥିଲେ। ପ୍ରତିବାଦ କରିବାରୁ ଦୁଇ ଭଉଣୀଙ୍କୁ ସେମାନେ ଟଣାଓଟରା କରିବା ସହ ଉଲଗ୍ନ କରି ମାରିଥିଲେ। କେଉଁଠି ଅଭିଯୋଗ କଲେ ଉଭୟଙ୍କ ଉଲଗ୍ନ ଫଟୋକୁ ଭାଇରାଲ କରି ଦେବାକୁ ଧମକ ବି ଦେଇଥିଲେ। ଦୁଇ ଭଉଣୀ ଚିତ୍କାର କରି କାନ୍ଦିବା ସମୟରେ ସେହି ବାଟେ କିଛି ଲୋକ ଆସିଯିବା ଦେଖି ୪ ଜଣ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ। ପୁଲିସ ଏକ ମାମଲା (ନଂ. ୪୩/୧୯)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ରାମ କୁମାର ମୁର୍ମୁ କହିଛନ୍ତି ।

ସମ୍ବନ୍ଧିତ ଖବର