ଟୀକାଦାନରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଯୁବକ ଗିରଫ

ବାଲିକୁଦା: ଗତ ଫେବ୍ରୁଆରି ୨ତାରିଖ ଦିନ ବାହରଣା ପଞ୍ଚାୟତ ଟାଇଁକୂଳ ପ୍ରାଥମିକ ବିଦ୍ୟାଳୟରେ ମିଳିମିଳା ଓ ରୁବେଲା ଟିକାକରଣ ଚାଲିଥିବା ବେଳେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜିତୁ ଓରଫ ବିଶ୍ୱଜିତ ମହାରଣାଙ୍କୁ ପୁଲିସ ଗିରଫ କରିଛି। ଘଟଣାର ଦୀର୍ଘ ୩ମାସ ପରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଯାଇଛି। ସେଦିନ ଟିକାଦାନ ଚାଲିଥିବା ବେଳେ ଜିତୁ ନିଜ ଝିଅକୁ ଟିକା ଦେବା ପାଇଁ ଏହି କେନ୍ଦ୍ରକୁ ଆସିଥିଲେ। ଟିକାଦାନରେ ସାମାନ୍ୟ ବିଳମ୍ବ ହେବାରୁ ସେ ଗାଳିଗୁଲଜ କରିବା ସହ ଏକ କଟୁରୀ ଆଣି ଟିକାଦାନ ଡ୍ୟୁଟିରେ ଥିବା ଅଙ୍ଗନବାଡ଼ି କର୍ମୀ ରୁନାବାଳା ରାଉଳଙ୍କୁ ଆକ୍ରମଣ କରିଥିଲେ। ଜିତୁଙ୍କ କଟୁରୀ ଚୋଟରେ ରୁନା ଗୁରୁତର ଆହତ ହୋଇଥିଲେ। ଏ ନେଇ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଜୟ ସ୍ୱାଇଁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ, ସେବେଠାରୁ ଅଭିଯୁକ୍ତ ଜିତୁ ଫେରାର୍‌ ହୋଇଯାଇଥିଲେ। ଦୁଇଦିନ ତଳେ ସେ ଘରେ ଥିବା ଖବର ପାଇ ବାଲିକୁଦା ଥାନା ଏସଆଇ ପଦ୍ମାଳୟା ପ୍ରଧାନ, ଏସଆଇ ଜ୍ୟୋତିଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ତାଙ୍କ ଘରେ ଚଢାଉ କରି ଜିତୁଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର