ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୭ଲକ୍ଷ ଗାଏବ:କର୍ମଚାରୀଙ୍କ ସ˚ପୃକ୍ତି ଅଭିଯୋଗ

ରାଜନଗର,: ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୮୯ ହଜାର, ୩୫୩ ଟଙ୍କା ହଡପ କରି ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ସାନବଡ଼ଗୋପାଳପୁରସ୍ଥିତ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ ଇଣ୍ତିଆର କିଛି କର୍ମଚାରୀ ଦଲାଲଙ୍କ ସହାୟତାରେ ଏପରି କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ ରାଜନଗର ଥାନା ଅନ୍ତର୍ଗତ ବ୍ରାହ୍ମଣସାହି ପଞ୍ଚାୟତ ବଡନାଉକୋଣା ଗାଁର ସ୍ବର୍ଣ୍ଣଲତା ସେଠୀଙ୍କ ବ୍ୟାଙ୍କ ଆକାଉଣ୍ଟ ସାନବଡ଼ଗୋପାଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ତିଆରେ ରହିଛି। ତାଙ୍କର ଆକାଉଣ୍ଟ ନ˚. ୧୯୯୫୧୧୫୬୮୨ରୁ ୬ ଲକ୍ଷ ୮୯ ହଜାର ୩୫୩ ଟଙ୍କା ଗାଏବ ହୋଇଯାଇଛି। ସେ ଦୁଇମାସ ତଳେ ବ୍ୟାଙ୍କରୁ ଏଟିଏମ ନେଇଥିଲେ ମଧୢ ଆଜିଯାଏଁ ବ୍ୟବହାର କରି ନ ଥିଲେ। ଆଜି ବ୍ୟାଙ୍କରେ ଧାଡ଼ିରେ ଛିଡା ହୋଇ ୧୦ହଜାର ଟଙ୍କା ଉଠାଇଥିଲେ। ବ୍ୟାଙ୍କ କର୍ମଚାରୀ ପାସ୍‌ବୁକ୍‌ ଅପଡେଟ୍‌ କରି ଦେବା ପରେ ଆକାଉଣ୍ଟରେ ମାତ୍ର ୯୦ ହଜାର ଟଙ୍କା ଥିବା ଦେଖି ମୁଣ୍ତରେ ଚଡ଼କ ପଡିଥିଲା। ସେ ଏ ନେଇ ବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିଥିଲେ। ଅଧିକାରୀ କହିଥିଲେ ଯେ, ଏଟିଏମ ବ୍ୟବହାର କରାଯାଇ ଟଙ୍କା ଉଠିଛି। ପୁଅ କିମ୍ବା ପରିବାର ଲୋକେ ଏପରି କରିଥିବେ। ସେମାନେ କିଛି କରିପାରିବେନି। ଥାନାକୁ ଯାଇ ଅଭିଯୋଗ କରିବାକୁ ସ୍ବର୍ଣ୍ଣଲତାଙ୍କୁ ପରାମର୍ଶ ଦେଇଥିଲେ। ବ୍ୟାଙ୍କରୁ ଏଟିଏମ ନେବା ପରଠାରୁ ସେ ଆଉ କାହାକୁ ଦେଇନାହାନ୍ତି କିମ୍ବା ବ୍ୟବହାର କରିନାହାନ୍ତି ବୋଲି ଯେତେ କହିଲେ ବି ବ୍ୟାଙ୍କ କର୍ତୃପକ୍ଷ ଶୁଣି ନ ଥିଲେ। ମହିଳା ଜଣଙ୍କ କାନ୍ଦି କାନ୍ଦି ବ୍ୟାଙ୍କରୁ ବାହାରି ଆସିଥିଲେ। ପରେ ଏ ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ କିଛି ଗ୍ରାହକ ବ୍ୟାଙ୍କ ବ୍ୟାଙ୍କର ଗ୍ରୀଲ୍‌ ଓ ସଟର ପକାଇ ପ୍ରତିବାଦ କରିଛନ୍ତି। ବ୍ୟାଙ୍କର କର୍ମଚାରୀମାନେ ଏପରି କରିଥିବା ଅଭିଯୋଗ କରିଛନ୍ତି।
ଥାନାରେ ଅଭିଯୋଗ ଓ ଗ୍ରାହକମାନେ ପ୍ରତିବାଦ କରିବା ପରେ ବ୍ୟାଙ୍କର କର୍ମଚାରୀ ମହିଳାଙ୍କ ନିକଟରେ ପହଞ୍ଚି ସୋମବାର ସୁଦ୍ଧା ସମସ୍ତ ଟଙ୍କା ଫେରାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି। ଏ ସ˚ପର୍କରେ ବ୍ୟାଙ୍କର କର୍ମଚାରୀ ରମେଶ ଚନ୍ଦ୍ର ପ୍ରଧାନ କହିଛନ୍ତି, ଏଟିଏମ ବ୍ୟାଙ୍କରୁ ଅଦଳ ବଦଳ ହୋଇଯାଇଥିଲା। ତ‌ାଙ୍କ ଏଟିଏମ ଅନ୍ୟ ଜଣଙ୍କୁ ଓ ଅନ୍ୟ ଜଣଙ୍କ ଏଟିଏମ ମହିଳାଙ୍କୁ ଦିଆଯାଇଛି। ମହିଳାଙ୍କ ଏଟିଏମ ନେଇଥିବା ବ୍ୟକ୍ତି ୧୦ ହଜାର, ୨୦ ହଜାର କରି ସମସ୍ତ ଟଙ୍କା ଉଠାଇ ନେଇଛି। ମହିଳା ତାଙ୍କ ଟଙ୍କା ଆସନ୍ତାକାଲି ସୁଦ୍ଧା ଫେରି ପାଇବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୭ରୁ ଚଳିତବର୍ଷ ଜାନୁଆରି ୨୮ ତାରିଖରେ ଏହି ଟଙ୍କା ଉଠାଯାଇଛି। ରାଜନଗର, ପଟ୍ଟାମୁଣ୍ତାଇ, ଖୋର୍ଦ୍ଧା, ଭୁବନେଶ୍ବର ଆଦି ସ୍ଥାନରୁ ଏଟିଏମ ମାଧୢମରେ ଟଙ୍କା ଉଠାଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀ ଦଲାଲଙ୍କ ସହ ମିଶି ମହିଳାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିବାରୁ ଏଟିଏମକୁ କୌଶଳ କ୍ରମେ ରଖିଦେଇ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଟଙ୍କା ହଡପ ଘଟଣାରେ ସ˚ପୃକ୍ତ କର୍ମଚାରୀ ଓ ଦଲାଲଙ୍କୁ ଗିରଫ କରିବା ପାଇଁ ଗ୍ରାହକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର