ଅସହିଷ୍ଣୁତାରୁ ମହିଳାଙ୍କୁ ହତ୍ୟା

ଅଖାରୁ ଖସିଲା ଶବ, ଧରାପଡ଼ିଲା କାରସାଦି

କେନ୍ଦ୍ରାପଡ଼ା/ମାର୍ଶାଘାଇ : ଭଲ ପାଇ ବିବାହ କରିଥିଲେ। ଜାତିଆଣ ଅସହିଷ୍ଣୁତା ପାଇଁ ଏହା ବେଶିଦିନ ତିଷ୍ଠି ରହିଲାନି। ଶେଷରେ, ଶାଶୂ, ଶ୍ୱଶୁର, ନଣନ୍ଦ ଓ ସ୍ୱାମୀ ମିଳିମିଶିି ନବବଧୂକୁ ମାରି ଦେଲେ। ଏଥିସହ ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ। ମାତ୍ର ବାଟରେ ଅଖା ଭିତରୁ ଶବ ଖସି ପଡ଼ିବା ଫଳରେ ସେମାନେ ଧରାପଡ଼ି ଯାଇଛନ୍ତି। ପୁଲିସ୍‌ ପରିବାରର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଶାମଗୁଡିଆ(ଟୁବିହୁଡା) ଗ୍ରାମରେ ଏହି ଘଟଣା ଘଟିଛି। ଆଜି ବଡ଼ିଭୋର୍‌ରୁ ଏହି ଗ୍ରାମର ମାମିନା ମଲ୍ଲିକ(୨୩)ଙ୍କ ମୃତଦେହ ଗାଁ ଦାଣ୍ଡରୁ ଜବତ କରାଯାଇଛି। ମୃତଦେହକୁ ଏକ ପ୍ଲାଷ୍ଟିକ୍‌ ଅଖା ଭିତରେ ଭର୍ତ୍ତି କରାଯାଇଥିଲା।

ଗାଁ ଲୋକଙ୍କ କହିବାନୁସାରେ, ଗତକାଲି ବିଳମ୍ବିତ ରାତିରେ ମାମିନାଙ୍କ ଶାଶୂଘର ଲୋକେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ପରେ ପରିବାର ଲୋକେ ମୃତ ମାମିନାଙ୍କ ଶବକୁ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେବାର ଯୋଜନା କରିଥିଲେ। ଏକ ମୋଟର ସାଇକଲ୍‌ରେ ମୃତଦେହକୁ ନେଇ ଯାଉଥିବାବେଳେ ବାଟରେ ଥିବା ଏକ ହମ୍ପ୍‌ସ ପାଖରେ ଅଖା ତଳକୁ ଖସି ପଡ଼ିଥିଲା। ଲୋକେ ଉଠି ପଡ଼ିବା ଫଳରେ, ସବୁ ଯୋଜନା ଫସର ଫାଟିଯାଇଥିଲା। ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ମୃତ ମାମିନାଙ୍କ ବାପଘର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରର ଗଡ଼ମା। ଟୁବିଡିହାର ପ୍ରକାଶ ରାଉତ ଦିଲ୍ଲୀର ନୋଏଡ଼ାଠାରେ ଏୟାରଟେଲ କମ୍ପାନିରେ କାମ କରୁଥିଲେ । ସେଠାରେ ମାମିନା ତାଙ୍କ ସହକର୍ମୀ ଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ ମାସ ତଳେ ମାମିନାଙ୍କୁ ପ୍ରକାଶ ଗାଁକୁ ନେଇ ଆସିଥିଲା। ମାମିନାଙ୍କର ବାପାମା’ ନଥିବାରୁ ଏବଂ ସେ ନୀଚ ଜାତିର ହୋଇଥିବାରୁ ପ୍ରକାଶଙ୍କ ପରିବାର ପ୍ରଥମେ ରାଜି ହୋଇନଥିଲେ। ମାତ୍ର, ମାମିନାଙ୍କ ପାଖରେ ମୋଟା ଅଙ୍କର ଟଙ୍କା ଥିବାରୁ ଶେଷରେ ବିବାହ ପାଇଁ ରାଜି ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ସ୍ଥାନୀୟ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମାମିନାଙ୍କ ଟଙ୍କାରେ ସେମାନେ କୋଠାଘର ବି କରିବାକୁ ସକ୍ଷମ ହୋଇଥିଲେ। ମାତ୍ର, ଟଙ୍କା ଶେଷ ହେବା ପରେ ପୁଣିଥରେ ପରିବାର ଲୋକଙ୍କ ମନରେ ଜାତିଆଣ ଅସହିଷ୍ଣୁତା ବସା ବାନ୍ଧିଥିଲା। ଅଧିକ ଟଙ୍କା ଦାବିରେ ନିର୍ଯାତନା ଆରମ୍ଭ ହୋଇଥିଲା।

ସ୍ୱାମୀ ପ୍ରକାଶ ଧରାଛୁଆଁ ନ ଦେବାରୁ ଶେଷରେ ମାମିନା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ସଦରଥାନା ପୁଲିସ୍‌ ନିର୍ଯାତିତା ମାମିନାକୁ ଉଦ୍ଧାର କରି ଏକ ସଟ୍‌ ଷ୍ଟେ’ହୋମ୍‌ରେ ନେଇ ରଖିଥିଲେ। ତେବେ ସେଠାରେ ୮/୧୦ ଦିନ ରହିବା ପରେ ପୁଣିଥରେ ମହିଳା ସମିତି ମଧ୍ୟସ୍ଥତାରେ ମାମିନାକୁ ଶ୍ୱଶୁର, ଶାଶୂ, ନଣନ୍ଦ ମିଶି ଘରକୁ ଫେରାଇ ଆଣିଥିଲେ। ମାତ୍ର, ଗତକାଲି ରାତିରେ ସମସ୍ତେ ମିଳିମିଶି ମାମିନାଙ୍କୁ ହତ୍ୟା କରିଛନ୍ତି।

ସକାଳେ ଖବର ପାଇ ଏସ୍‌ଡ଼ିପିଓ କେଦାରନାଥ ସାହୁ, ସଦର ଆଇଆଇସି ସୁଜିତ କୁମାର ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଥିଲେ । ମାମିନାଙ୍କ ନିଜ ଘରେ କେହି ଲୋକ ନଥିବାରୁ ସ୍ଥାନୀୟ ସରପଂଚ ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି। ସଦର ଥାନା କେସ୍‌ ନଂ ୩୨୦/୧୭ରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୨୦୧, ୩୦୪(ଖ), ଯୌତୁକ ନିରୋଧ ଆଇନ୍‌୪୯୮(କ), ୩୪ ଦଫା ଏବଂ ୩ ଏସ୍‌ସି, ଏସ୍‌ସି ଆକ୍ଟରେ ମାମଲା ରୁଜୁ ହୋଇଛି । ପୁଲିସ୍‌ ଶ୍ୱଶୁର ଭାସ୍କର ରାଉତ, ନଣନ୍ଦ ନୟନା ରାଉତ ଓ ଶାଶୂ କମଳା ରାଉତଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ଏମାନେ ଫେରାର୍‌ ହୋଇ ଯାଉଥିବାବେଳେ ଲୋକଙ୍କ ହାତରେ ଧରାପଡ଼ି ଯାଇଥିଲେ। ତେବେ, ସ୍ୱାମୀ ପ୍ରକାଶ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୋଜା ଚାଲିଛି ଓ ଖୁବ୍‌ଶୀଘ୍ର ସେ ଧରାପଡ଼ିଯିବେ ବୋଲି ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି ।

ସମ୍ବନ୍ଧିତ ଖବର