ଯୁବତୀ ଚାଲାଣ ଅଭିଯୋଗ : ପଟ୍ଟାମୁଣ୍ଡାଇରୁ ଯୁବକଙ୍କୁ ଉଠାଇନେଲା ରାଉରକେଲା ପୁଲିସ୍‌

କେନ୍ଦ୍ରାପଡ଼ା : ସାଉଦିଆରବକୁୁ ଯୁବତୀ ଚାଲାଣ ଅଭିଯୋଗରେ ଆଜି ରାଉରକେଲାର ରଘୁନାଥପାଲୀ ପୁଲିସ୍‌ ପଟ୍ଟାମୁଣ୍ଡାଇ ନିକଟ ପୋଖରିଆପଡ଼ାର ସ୍ୱଗତ ବିଜୟ ମଲ୍ଲିକଙ୍କ ପୁଅ ବିଶ୍ୱଜିତ ମଲ୍ଲିକ(୩୦)କୁ ଗିରଫ କରି ନେଇଛି।

ବିଶ୍ୱଜିତ ଗତ କିଛି ବର୍ଷ ହେଲା ସାଉଦିଆରବକୁ ଓଡ଼ିଶାରୁ ଝିଅ ଚାଲାଣ କରିବା ଅଭିଯୋଗ ହୋଇଥିଲା। ଏପରିକି ଗତ ବର୍ଷ ସେ ନିଜେ ତାର ମାଉସୀ ଝିଅ ଓ ଅନ୍ୟ ଜଣେ ଯୁବତୀଙ୍କୁ ଦୁବାଇରେ ନର୍ସ ଚାକିରି କରାଇ ଦେବ କହି ପ୍ରଲୋଭିତ କରିଥିଲା । ସେମାନଙ୍କୁ ରାଉରକେଲାର ବିଭିନ୍ନ ଲଜ୍‌ ରଖିବା ପରେ ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଲଜ୍‌ରେ ରଖି ସାଉଦିଆରବ ପଠାଇଥିଲା । ଏହା ପଛରେ ଯୌନଶୋଷଣ ଓ ବିପୁଳ ଅର୍ଥ ରୋଜଗାର ଉଦ୍ଦେଶ୍ୟ ଥିଲା ବୋଲି ଅଭିଯୋଗ ହୋଇଥିଲା । ୨ ଜଣ ଯୁବତୀ ଚାକିରି ନପାଇ ନିରାଶ ହୋଇ ଓଡ଼ିଶା ଫେରିବା ପରେ ସରୋଜିନୀ ମଲ୍ଲିକ ନାମ୍ନୀ ଜଣେ ଯୁବତୀ ରଘୁନାଥପାଲୀ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଗତ ଡିସେମ୍ବର ୧୨ ତାରିଖରେ ଥାନା କେସ୍‌ ନଂ ୩୪୯/୧୭ରେ ଭାରତୀୟ ଦଣ୍ଡବିଧି ଆଇନର ୩୭୦, ୩୭୬, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଥିଲା। ସେହି ଅଭିଯୋଗକ୍ରମେ ପୁଲିସ୍‌ ଆଜି ବିଶ୍ୱଜିତକୁ ଏଠାରୁ ଉଠାଇ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର