ବିଭିନ୍ନ ଦାବିରେ ତେଜିଲା କେନ୍ଦୁପତ୍ର କର୍ମଚାରୀ ସଂଘ, ୧୧ ମାର୍ଚ୍ଚରେ ରାସ୍ତା ଅବରୋଧ, ୨ରୁ ଆନ୍ଦୋଳନ

ସମ୍ବଲପୁର: କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ମାସ ୧୧ ତାରିଖରେ ରାସ୍ତା ଅବରୋଧର ଘୋଷଣା କରାଯାଇଛି। ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଉଲୁଣ୍ଡା, ଭଟଲି ଛକ, ଯୁଯୁମୁରା, ଅଇଁଠାପାଲି ଛକମାନଙ୍କରେ କେନ୍ଦୁପତ୍ର ତୋଳାଳିମାନେ ରାସ୍ତା ଅବରୋଧ କରିବେ। ଏଥି ପୂର୍ବରୁ ମାର୍ଚ୍ଚ ୨ ଏବଂ ୩ ତାରିଖରେ ଡିଭିଜନର ସମସ୍ତ ରେଞ୍ଜ କାର୍ଯ୍ୟାଳୟ ଏବଂ କେନ୍ଦୁପତ୍ର ଡିଏଫଓ ସମ୍ମୁଖରେ ଧାରଣା ଦିଆଯିବ। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ଗୋକୁଳ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ଅବସରରେ କୁହାଯାଇଥିଲା ଯେ କେନ୍ଦୁପତ୍ର ସଂଗ୍ରହରେ ଲକ୍ଷାଧିକ ତୋଳାଳି ଅଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ପାଇଁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଏହି ଅବସରରେ ହଜାର-ହଜାର ସିଜନାଲ କର୍ମଚାରୀ, ୱାଚରମାନଙ୍କ ତ୍ରୁଟିପୂର୍ଣ୍ଣ ଦରମାର ସଂଶୋଧନ, କେନ୍ଦୁପତ୍ର ତୋଳାଳିମାନଙ୍କୁ ମିଳୁଥିବା ସାମାଜିକ ସୁରକ୍ଷା ସହଯୋଗକୁ ବନ୍ଦ କରିବା, ତୋଳାଳିମାନଙ୍କ ପାଇଁ ୨ ହଜାର କେରି କେନ୍ଦୁପତ୍ର ପରିବର୍ତ୍ତେ ୧ ହଜାର କେରି ଦେବା, ଫଡ଼ିଘର ଏବଂ ରେଂଜ ଉଚ୍ଛେଦ ନକରିବା, କେନ୍ଦୁପତ୍ର ବିକ୍ରି ନୀତି, ପରିଚାଳନାଗତ ତ୍ରୁଟିକୁ ସଂଶୋଧନ କରିବା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାକୁ ନେଇ ଆନ୍ଦୋଳନର ନିଷ୍ପତ୍ତି ହୋଇଥିଲା।

ଆଲୋଚନା ସଭାରେ ଡିଭିଜନର ରେଞ୍ଜ ସମ୍ପାଦକ ଭକ୍ତବନ୍ଧୁ ମାଝି, ରମେଶ ମାହାର, କ୍ଷମାନିଧି ବିଶ୍ୱାଳ, ଅନାଦୀ ମିର୍ଦ୍ଧା, ବୃନ୍ଦାବନ ମଟାରି, ଗଜପତି ପ୍ରଧାନ, ଅଜିତ ଗାଇଗରିଆ, ଅଶୋକ ଦାଶ, ହିମାଂଶୁ ସେଠି, ଡିଲେଶ୍ୱର ପ୍ରଧାନ, ଟଙ୍କଧର ପ୍ରଧାନ, ସିକେଶ୍ୱର ଦେହୁରୀ, ସତ୍ୟଜିତ ଗଡ଼ୁଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର