୭୫ ବର୍ଷ ଦଖଲର ପ୍ରମାଣ ଦେଲେ ମିଳିବ ଜଂଗଲ ଜମି ପଟ୍ଟା

କେନ୍ଦୁଝର: ତିନି ପିଢ଼ି କିମ୍ବା ୭୫ ବର୍ଷ ଦଖଲ କରିଥିବାର ପ୍ରମାଣ ଦେଲେ ଜଂଗଲ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ସଦର ତହସିଲରେ ଆଜି ଅନୁଷ୍ଠିତ ସ୍ବତନ୍ତ୍ର ଜନଶୁଣାଣିରେ ପ୍ରକାଶ କରାଯାଇଛି। ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ-୨୦୦୬ ଅନୁଯାୟୀ ଯେଉଁ ଦରଖାସ୍ତଗୁଡିକ ଗ୍ରାମ କମିଟିର ସୁପାରିସ ଦ୍ୱାରା ଖାରଜ ହୋଇଥିଲା, ତାହାର ପୁନଃ ବିଚାର ପାଇଁ ଆଜି ଏକ ସ୍ୱତନ୍ତ୍ର ଜନଶୁଣାଣି କେନ୍ଦୁଝର ସଦର ତହସିଲଠାରେ ଆୟୋଜିତ ହୋଇଥିଲା। ଏହି ଶୁଣାଣି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ କେନ୍ଦୁଝର ସଦର ତହସିଲର ନରଣପୁର, ଘୁଟୁକେଶ୍ୱରୀ, ହରିଡ଼ାଗୋଠ, ଟୋଲଙ୍ଗବାହଳ ଆଦି ଗ୍ରାମରୁ ୨ ହଜାରରୁ ଅଧିକ ଦରଖାସ୍ତର ଶୁଣାଣି କରାଯିବ। ଯେଉଁ ବ୍ୟକ୍ତି ଜଙ୍ଗଲଜମିରେ ଜବରଦଖଲ ତିନି ପିଢି ବା ୭୫ ବର୍ଷର ପ୍ରମାଣ ଦେବେ ସେମାନଙ୍କୁ ଜଂଗଲ ଜମି ପଟ୍ଟା ପ୍ରଦାନ ପ୍ରଦାନ କରାଯିବ ବୋଲି ସଦର ତହସିଲର ସୁପରଭାଇଜର ସୁନୀଲ କୁମାର ସାମଲ ପ୍ରକାଶ କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ପଟ୍ଟା ପ୍ରଦାନ କରାଯାଇପାରିବ। ଯେଉଁ ବ୍ୟକ୍ତି ଜଙ୍ଗଲ ଜମିରେ ୩ ପିଢ଼ି ଧରି ରହୁଥିବାର ପ୍ରାମାଣିକ ତଥ୍ୟ ଦେଇପାରିବେ ନାହିଁ ସେମାନଙ୍କର ଆବେଦନ ଖାରଜ କରାଯିବ ବୋଲି ଜଣାପଡ଼ିଛି। ୩ ଦିନ ବ୍ୟାପୀ ଜନଶୁଣାଣିରେ କେନ୍ଦୁଝର ସଦର ତହସିଲର ରଘୁନାଥପୁର, ରାଇସୁଆଁ, ନୂଆଗାଁ, ପଦ୍ମପୁର, ପଳାଶପଙ୍ଗାର ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଓ ସଦର ତହସିଲ ଅଫିସର ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର